ନ୍ୟୁଜ ଡେକ୍ସ : ନକ୍ସଲ ପ୍ରଭାବିତ ଛତ୍ତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ବନ୍ଦେପାରା ଓ ନୀଲମାଡାଗୁ ମଝିରେ ଥିବା ଘନ ଜଙ୍ଗଲରେ ସର୍ଚ୍ଚ ଅପରେସନ ସମୟରେ ମାଓବାଦୀଙ୍କ ଏକ ଭୟଙ୍କର ଷଡ଼ଯନ୍ତ୍ରକୁ ସମୟରେ ପଣ୍ଡ କରାଯାଇଛି।ସୁରକ୍ଷା ବାହିନୀ ସୂଚନା ପାଇ ମଦେଡ ପୋଲିସ ଥାନା ଅଞ୍ଚଳରେ ସିଆରପିଏଫ ଦଳ ସହ ଯୁକ୍ତ ଅଭିଯାନ ଆରମ୍ଭ କରିଥିଲେ।
ଅପରେସନ ସମୟରେ ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିବା ୧୬ଟି ଆଇଇଡି ଉଦ୍ଧାର ହୋଇଥିଲା। ସୁରକ୍ଷା ମାନଦଣ୍ଡ ଅନୁଯାୟୀ ସମସ୍ତ ବିସ୍ଫୋରକକୁ ସୁରକ୍ଷିତ ଭାବେ ନିଷ୍କ୍ରିୟ କରାଯାଇଛି।ଏହା ସହିତ ଜଙ୍ଗଲ ଭିତରେ ଥିବା ମାଓବାଦୀଙ୍କ ଡମ୍ପରୁ ପ୍ରାୟ ୧୦୦ କିଲୋଗ୍ରାମ ଜିଲେଟିନ ଷ୍ଟିକ୍, ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ, ଗନପାଉଡର, ୱାକି-ଟକି ଚାର୍ଜର, ବ୍ୟାଟେରୀ ଓ ନକ୍ସଲମାନଙ୍କ କଳା ପୋଷାକ ମଧ୍ୟ ଜବତ କରାଯାଇଛି।
ସୁରକ୍ଷା ବାହିନୀ କହିଛନ୍ତି ଯେ, ଏହି ବିସ୍ଫୋରକଗୁଡ଼ିକୁ ରାସ୍ତା ଧାରେ ଲୁଚାଇ ରଖାଯାଇଥିଲା, ଯାହା ମାଧ୍ୟମରେ ସୁରକ୍ଷା ଦଳକୁ ଟାର୍ଗେଟ କରି ବଡ଼ ହାନି କରିବା ପ୍ରସ୍ତୁତି ଥିଲା। ସମୟରେ ଅଭିଯାନ ହେବାରୁ ବଡ଼ ଦୁର୍ଘଟଣା ଟଳିଗଲା।ବିଜାପୁରରେ ସୁରକ୍ଷା ବାହିନୀ ନିରନ୍ତର ନକ୍ସଲ ବିରୋଧୀ ଅଭିଯାନ ଚଳାଇଆସୁଛନ୍ତି। ଆଗାମୀ ଦିନରେ ମଧ୍ୟ ଏପରି ସର୍ଚ୍ଚ ଅପରେସନ ଆହୁରି ତୀବ୍ର କରାଯିବ ବୋଲି ସୁରକ୍ଷା ସୂତ୍ର କହିଛନ୍ତି।

