Sat. Feb 21st, 2026

ନ୍ୟୁଜ ଡେକ୍ସ : ଓଡ଼ିଶାର ଐତିହ୍ୟବାହୀ ରୂପେଲି ନଗର କଟକର ବାରବାଟୀ ଷ୍ଟାଡିୟମ ଆଜି ୭୭ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦେଶଭକ୍ତି, ଉତ୍ସାହ ଓ ଗରିମାର ରଙ୍ଗରେ ରଙ୍ଗାଇ ଉଠିଲା। ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କରି ପରେ ରାଜ୍ୟବାସୀଙ୍କୁ ସାଧାରଣତନ୍ତ୍ର ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ।

ଉଦବୋଧନ ଆରମ୍ଭରେ ମୁଖ୍ୟମନ୍ତ୍ରୀ କହିଥିଲେ, “ଗୌରବମୟ ୭୭ତମ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।” ସେ କହିଥିଲେ ଯେ, ଇତିହାସର ଗର୍ବକୁ କାନ୍ଧରେ ବୋହି ଆସୁଥିବା ଏହି ରୂପେଲି ନଗର କଟକ କେବଳ ଏକ ପୁରାତନ ସହର ନୁହେଁ, ବରଂ ଏହା ଉତ୍କଳୀୟ ସଂସ୍କୃତି ଓ ସାମାଜିକ ପ୍ରତିବଦ୍ଧତାର ଜୀବନ୍ତ ପ୍ରତୀକ। ବାରବାଟୀ ଷ୍ଟାଡିୟମର ପବିତ୍ର ମାଟିରେ ଦାଣ୍ଡାଇ ଦେଶର ସମ୍ବିଧାନର ଅସୀମ ଶକ୍ତି ଓ ଦୃଢ଼ତାକୁ ସ୍ମରଣ କରି ସେ ଜନତାକୁ ଆଗାମୀ ପଥରେ ଆତ୍ମବିଶ୍ୱାସର ସହ ଆଗେ ବଢ଼ିବାକୁ ଆହ୍ୱାନ କରିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ ଯେ, ଭାରତର ସମ୍ବିଧାନ ଆମକୁ ନ୍ୟାୟ, ସ୍ୱତନ୍ତ୍ରତା, ସମାନତା ଓ ଭାତୃଭାବର ମହାନ ମୂଲ୍ୟବୋଧରେ ବାନ୍ଧି ରଖିଛି।

ଏହି ମୂଲ୍ୟବୋଧ ହିଁ ଭାରତକୁ ବିଶ୍ୱମଞ୍ଚରେ ଏକ ଅଦ୍ୱିତୀୟ ପରିଚୟ ଦେଇଛି। ବ୍ରିଟିଶ ଶାସନରୁ ଦେଶକୁ ମୁକ୍ତ କରି ଜନତାଙ୍କୁ ସ୍ୱାଧୀନତାର ସ୍ୱାସ୍ତ୍ୟ ନିଆଁ ଦେଇଥିବା ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହରଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲାନା ଆଜାଦ, ବୀର୍ ସାବରକର୍, ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଓ ଶ୍ୟାମାପ୍ରସାଦ ମୁଖାର୍ଜିଙ୍କୁ ସେ ଭକ୍ତିପୂର୍ବକ ସ୍ମରଣ କରିଥିଲେ।ଏହାସହିତ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଯେଉଁ ବୀର ସଂଗ୍ରାମୀମାନେ ନିଜ ଜୀବନ ବଳିଦାନ କରିଥିଲେ, ସେମାନଙ୍କ ପ୍ରତି ମଧ୍ୟ ସେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବୀର ସୁରେନ୍ଦ୍ର ସାଏ, ଶହୀଦ ମାଧୋ ସିଂ, ବକ୍ସି ଜଗବନ୍ଧୁ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ଭଗବାନ ବିର୍ସା ମୁଣ୍ଡା, ଶହୀଦ ଲକ୍ଷ୍ମଣ ନାୟକ, ମା’ ରମାଦେବୀ, ଶହୀଦ ବାଜି ରାଉତ, ମାଳତୀ ଚୌଧୁରୀ, ମା’ ପାର୍ବତୀ ଗିରି ଓ ଡକ୍ଟର ହରେକୃଷ୍ଣ ମହତାବଙ୍କ ଅମୂଲ୍ୟ ଅବଦାନକୁ ସ୍ମରଣ କରି ସେ କହିଥିଲେ ଯେ, ଏହି ମହାନ ବରପୁତ୍ରମାନଙ୍କ ତ୍ୟାଗ ଓ ବଳିଦାନ ଆଜି ମଧ୍ୟ ଆମକୁ ଦେଶସେବାର ପଥରେ ପ୍ରେରଣା ଦେଇ ଚାଲିଛି।

ସାଧାରଣତନ୍ତ୍ର ଦିବସ ଅବସରରେ ବାରବାଟୀ ଷ୍ଟାଡିୟମରେ ବିଭିନ୍ନ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ, ପରେଡ୍ ଓ ଝାଙ୍କି ମାଧ୍ୟମରେ ରାଜ୍ୟର ଐତିହ୍ୟ, ସଂସ୍କୃତି ଓ ବିକାଶର ଗାଥା ପ୍ରଦର୍ଶିତ ହୋଇଥିଲା। ଲୋକମାନଙ୍କ ମଧ୍ୟରେ ଦେଶପ୍ରେମ ଓ ଏକତାର ଉତ୍ସାହ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥିଲା।

Leave a Reply

Your email address will not be published. Required fields are marked *