Sat. Feb 21st, 2026

ନ୍ୟୁଜ ଡେକ୍ସ : ରାଜ୍ୟର ସାଧାରଣ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଥିବା ଗୁରୁତ୍ୱପୂର୍ଣ୍ଣ ୩ଟି ସମସ୍ୟାକୁ ନେଇ ଆସନ୍ତା ୨୮ ତାରିଖରେ ସମଗ୍ର ଓଡ଼ିଶାରେ ବନ୍ଦ ପାଳନ କରିବାକୁ ନବନିର୍ମାଣ ଯୁବଛାତ୍ର ସଂଗଠନ ଡାକରା ଦେଇଛି। ପ୍ରଦୂଷଣ, ଧାନମଣ୍ଡିରେ ଅବ୍ୟବସ୍ଥା ଓ ଟାଟା ପାଓ୍ବାର ଦ୍ୱାରା ସୃଷ୍ଟ ଯନ୍ତ୍ରଣା ଏହି ୩ ଦଫା ଦାବିକୁ ନେଇ ସଂଗଠନ ପକ୍ଷରୁ ଏହି ବନ୍ଦ ଆନ୍ଦୋଳନ କରାଯିବ ବୋଲି ଘୋଷଣା କରାଯାଇଛି।

ଏହି ବନ୍ଦ ଡାକରାକୁ ସିପିଆଇ(ଏମ୍) ପକ୍ଷରୁ ସମର୍ଥନ ଜଣାଇଥିବାରୁ ରାଜନୈତିକ ମହଳରେ ଏହା ନେଇ ଚର୍ଚ୍ଚା ଜୋର ଧରିଛି। ସଂଗଠନର ରାଜ୍ୟ ସଂଯୋଜକ ଏମ.ଡ଼ି. ମନଓ୍ବର ଅଲ୍ଲୀଙ୍କ ନେତୃତ୍ୱରେ ଭୁବନେଶ୍ୱର ସହରର ବିଭିନ୍ନ ସ୍ଥାନରେ କାର ଶୋଭାଯାତ୍ରା କରାଯାଇ ବନ୍ଦ ସମ୍ପର୍କରେ ପ୍ରଚାର ଚାଲିଥିଲା। ଏହି ପ୍ରଚାର ମାଧ୍ୟମରେ ସାଧାରଣ ଲୋକଙ୍କୁ ବନ୍ଦର ଉଦ୍ଦେଶ୍ୟ ଓ ଦାବିଗୁଡ଼ିକ ବିଷୟରେ ଅବଗତ କରାଯାଇଥିଲା।ଶ୍ରୀ ଅଲ୍ଲୀ କହିଥିଲେ ଯେ, ରାଜ୍ୟରେ ବଢୁଥିବା ପ୍ରଦୂଷଣ ସାଧାରଣ ଜନଜୀବନକୁ ଗଭୀର ଭାବେ ପ୍ରଭାବିତ କରୁଛି। ସେହିପରି ଧାନମଣ୍ଡିରେ କୃଷକମାନେ ଭୋଗୁଥିବା ଅବ୍ୟବସ୍ଥା ଓ ଟାଟା ପାଓ୍ବାର ଦ୍ୱାରା ଲୋକମାନେ ଯେଉଁ ଅସୁବିଧା ଭୋଗୁଛନ୍ତି, ସେଗୁଡ଼ିକ ନେଇ ଶୀଘ୍ର ସମାଧାନ ନହେଲେ ଆନ୍ଦୋଳନ ଆହୁରି ତୀବ୍ର କରାଯିବ ବୋଲି ସତର୍କ କରିଥିଲେ।

ସେ ଆହୁରି କହିଥିଲେ ଯେ, ଏହି ବନ୍ଦ କୌଣସି ରାଜନୈତିକ ସ୍ୱାର୍ଥ ପାଇଁ ନୁହେଁ, ବରଂ ସାଧାରଣ ଲୋକଙ୍କ ନ୍ୟାୟସଙ୍ଗତ ଦାବି ପାଇଁ। ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ ଯେ, ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ଓଡ଼ିଶା ବନ୍ଦକୁ ସମର୍ଥନ ଜଣାନ୍ତୁ, ଦୋକାନ, ବଜାର ଓ ଯାନବାହନ ଚଳାଚଳ ବନ୍ଦ ରଖି ଆନ୍ଦୋଳନକୁ ସଫଳ କରନ୍ତୁ।ଅନ୍ୟପଟେ, ପ୍ରଶାସନ ପକ୍ଷରୁ ଆଇନଶୃଙ୍ଖଳା ରକ୍ଷା ପାଇଁ ପ୍ରସ୍ତୁତି ନିଆଯାଉଥିବା ଜଣାପଡ଼ିଛି। ବନ୍ଦ ଦିନ ରାଜ୍ୟରେ ସାଧାରଣ ଜନଜୀବନ କେତେ ପ୍ରଭାବିତ ହେବ, ସେନେଇ ସମସ୍ତଙ୍କ ଦୃଷ୍ଟି ୨୮ ତାରିଖ ଉପରେ ରହିଛି।

Leave a Reply

Your email address will not be published. Required fields are marked *