Sat. Feb 21st, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଏବେ ଶୀତର ପ୍ରଭାବ ଧୀରେ ଧୀରେ କମିବାକୁ ଲାଗିଛି। କିଛି କିଛି ସ୍ଥାନରେ ରାତି ତାପମାତ୍ରା ବଢୁଥିବା ବେଳେ, ଅନ୍ୟ କିଛି ଅଞ୍ଚଳରେ ଏଯାବତ୍‌ ଶୀତର ପ୍ରଭାବ ଅବ୍ୟାହତ ରହିଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆଜିଠାରୁ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।

ଆସନ୍ତା ୪ ଦିନ ମଧ୍ୟରେ ଏହି ବୃଦ୍ଧି ଅଧିକ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।ପାଣିପାଗ ବିଭାଗ କହିଛି ଯେ, ଆଗାମୀ ଦିନଗୁଡ଼ିକରେ ଦିନର ସର୍ବାଧିକ ତାପମାତ୍ରା ୩୨ ଡିଗ୍ରି ସେଲସିଅସ୍‌ ଓ ରାତିର ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରି ସେଲସିଅସ୍‌ ଚାରିପାଖରେ ରହିବ। ଏହାର ପ୍ରଭାବରେ ରାଜ୍ୟରେ ଥଣ୍ଡା ଧୀରେ ଧୀରେ କମିବ।ଗତ ୨୪ ଘଣ୍ଟାରେ ଘୁ. ଉଦୟଗିରିରେ ସର୍ବନିମ୍ନ ୪.୮ ଡିଗ୍ରି ସେଲସିଅସ୍‌ ରେକର୍ଡ ହୋଇଥିବା ବେଳେ, ଫୁଲବାଣୀରେ ୯.୫, ଝାରସୁଗୁଡ଼ାରେ ୯.୬, ରାଉରକେଲାରେ ୯.୫, ସେମିଳିଗୁଡ଼ାରେ ୯.୪, ଭୁବନେଶ୍ୱରରେ ୧୩.୪ ଓ କଟକରେ ୧୩ ଡିଗ୍ରି ସେଲସିଅସ୍‌ ରହିଛି। ରାଜ୍ୟର ଆଭ୍ୟନ୍ତର ଏବଂ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ଏଯାବତ୍‌ ଶୀତର ତୀବ୍ରତା ଅନୁଭୂତ ହେଉଛି।

ଅନ୍ୟପଟେ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାର କିଛି ଅଞ୍ଚଳରେ କୁହୁଡ଼ି ଦୃଶ୍ୟମାନ ହେବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଗାଡ଼ି ଚାଳକମାନଙ୍କୁ ସତର୍କ ଭାବେ ଗାଡ଼ି ଚାଲାଣ କରିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।ମୋଟେମାଟି, ଆସନ୍ତା କିଛି ଦିନରେ ରାଜ୍ୟରେ ଶୀତର ପ୍ରଭାବ କମିବା ସହ ହଳକା ଉଷ୍ଣତା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

Leave a Reply

Your email address will not be published. Required fields are marked *