ନ୍ୟୁଜ ଡେକ୍ସ : ଚାଷୀ ସମସ୍ୟା, ଧାନ କିଣାରେ ଅବ୍ୟବସ୍ଥା, PUCC ବାଧ୍ୟତା, ସ୍ମାର୍ଟ ମିଟର ଏବଂ ଟାଟା ପାୱାରର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ନଵନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ୮ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଇଛି। ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଡାକରା ଦିଆଯାଇଥିବା ଏହି ବନ୍ଦରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଭାବ ଦେଖାଯାଇଛି।
ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଛକରେ ଆନ୍ଦୋଳନକାରୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ବେଳେ ଯାତାୟାତ କିଛି ସମୟ ପାଇଁ ବିଘ୍ନିତ ହୋଇଥିଲା। ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ବିନିକାରେ ପିକେଟିଂ କରାଯାଇଥିଲା। ବିନିକା–ବରପାଲି ଜାତୀୟ ରାଜପଥର କଲେଜ ଛକରେ ଆନ୍ଦୋଳନ ଜୋରଦାର ହୋଇଥିଲା, ଯେଉଁଠାରେ କଂଗ୍ରେସ କର୍ମୀମାନେ ମଧ୍ୟ ସାମିଲ ହୋଇଥିଲେ।ନଵନିର୍ମାଣ କୃଷକ ସଂଗଠନ ସହିତ ନଵନିର୍ମାଣ ଯୁବଛାତ୍ର ସଂଗଠନ ମଧ୍ୟ ଏହି ବନ୍ଦ ଡାକରାରେ ସକ୍ରିୟ ଭାବେ ଯୋଗ ଦେଇଥିଲେ। ଏହି ଆନ୍ଦୋଳନକୁ କଂଗ୍ରେସ ଦଳ ପୂର୍ଣ୍ଣ ସମର୍ଥନ ଜଣାଇଥିବା ବେଳେ ପିସିସି ସଭାପତି ଭକ୍ତ ଦାସ ପୂର୍ବରୁ ଏହାକୁ ସମର୍ଥନ କରିବା ନେଇ ଘୋଷଣା କରିଥିଲେ।
ସେହିପରି ସିପିଆଇ ପକ୍ଷରୁ ମଧ୍ୟ ବନ୍ଦ ଡାକରାକୁ ସମର୍ଥନ ଦିଆଯାଇଛି। ସଂଗଠନ ପକ୍ଷରୁ ଦାବି କରାଯାଇଛି ଯେ ସମସ୍ତ ଚାଷୀଙ୍କୁ ଧାନର ଏମଏସପି ସହ ଇନ୍ପୁଟ ସବସିଡି ଯୋଗ କରି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଦରରେ ଧାନ କିଣାଯାଉ। ସେହିପରି ଧାନ କିଣିବା ପରେ ସଠିକ୍ ସମୟରେ ଚାଷୀଙ୍କୁ ଟଙ୍କା ପ୍ରଦାନ, ଟୋକେନ୍ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ଦଲାଲ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।
ବନ୍ଦ ସମୟରେ ଆନ୍ଦୋଳନକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ଜରୁରୀ କାଳୀନ ସେବାକୁ ଏହି ବନ୍ଦ ଡାକରାରୁ ବାଦ ଦିଆଯାଇଛି। ଚାଷୀ ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ନଵନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

