ନ୍ୟୁଜ ଡେକ୍ସ : ନୟାଗଡ଼ ଜିଲ୍ଲାର ବହୁଚର୍ଚ୍ଚିତ ନିଖୋଜ ଶିଶୁକନ୍ୟା ପରୀ ମାମଲାକୁ ନେଇ ପୁଣିଥରେ ରାଜ୍ୟରେ ଚର୍ଚ୍ଚା ତୀବ୍ର ହୋଇଛି। ଏହି ମାମଲାକୁ ଆଧାର କରି ନିର୍ମାଣାଧୀନ ଓଡ଼ିଆ ଚଳଚ୍ଚିତ୍ର ‘ପରୀ’ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରି ପରୀଙ୍କ ବାପା ଅଶୋକ ସାହୁ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ସ୍ମାରକପତ୍ରରେ ଅଶୋକ ସାହୁ ଗୁରୁତର ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ସମ୍ମତି ବିନା ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଉଛି ଏବଂ ତାଙ୍କ ଝିଅ ସହିତ ସଂପୃକ୍ତ ଦୁଃଖଦ ଘଟଣାକୁ ଭୁଲ ଓ ବିକୃତ ଭାବରେ ଉପସ୍ଥାପନ କରାଯାଉଛି। ଅଶୋକଙ୍କ କହିବା ଅନୁସାରେ, ଚଳଚ୍ଚିତ୍ରରେ ପରୀଙ୍କୁ ଯୌନ ନିର୍ଯାତନା ଏବଂ ହତ୍ୟାର ଶିକାର ଭାବରେ ଦର୍ଶାଯାଉଛି, ଯେଉଁଥିରେ ପ୍ରକୃତ ଅପରାଧ ଅଙ୍ଗ ଚାଲାଣ ସହିତ ସଂପୃକ୍ତ ବୋଲି ସେ ଦାବି କରିଛନ୍ତି।ସେ ଏହା ମଧ୍ୟ କହିଛନ୍ତି ଯେ ଏପରି ଚିତ୍ରଣ ତାଙ୍କ ପରିବାରକୁ ଗଭୀର ମାନସିକ ଯନ୍ତ୍ରଣା ଦେଉଛି ଏବଂ ପ୍ରକୃତ ମାମଲା ସମ୍ପର୍କରେ ଜନସାଧାରଣଙ୍କୁ ଭ୍ରମିତ କରୁଛି। ଏପର୍ଯ୍ୟନ୍ତ ତାଙ୍କ ଝିଅର ମୃତ୍ୟୁ ମାମଲାରେ ନ୍ୟାୟ ମିଳିନଥିବା ବେଳେ ଚଳଚ୍ଚିତ୍ରର ମୁକ୍ତି ତାଙ୍କ ଦୁଃଖକୁ ଆହୁରି ବଢ଼ାଇବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।
ଏହି ଦାବି ନେଇ ଅଶୋକ ସାହୁ ଉପମୁଖ୍ୟମନ୍ତ୍ରୀଙ୍କ ସହିତ ସହ ଆଇନ ମନ୍ତ୍ରୀ ଏବଂ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ଭେଟି ନିଜ ଆପତ୍ତି ଓ ଚିନ୍ତା ଉପସ୍ଥାପନ କରିଛନ୍ତି। ପରେ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ନିଜର ଦାବି ରଖିଥିବା ଜଣାପଡ଼ିଛି।ଏହି ମାମଲାରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓ ଅଶୋକ ସାହୁଙ୍କ ଆବେଦନ ଗ୍ରହଣ କରି, ବିଷୟଟି ଶିଳ୍ପ ମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ ଏବଂ ସରକାର ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଏହି ଦାବିକୁ ନେଇ ଏବେ ରାଜ୍ୟ ରାଜନୀତି ଓ ସାମାଜିକ ମହଳରେ ଚର୍ଚ୍ଚା ତୀବ୍ର ହୋଇଛି।

