Sun. Apr 19th, 2026

ନ୍ୟୁଜ ଡେକ୍ସ : ଖଣ୍ଡଗିରି ମେଳା ମହାକୁମ୍ଭ ଆରମ୍ଭ ହେବା ସହିତ ସହିତ ଆରମ୍ଭ ହୋଇଯାଇଛି ପାର୍କିଂ ଲୁଟ୍‌ର ଖେଳ। ବିଏମ୍‌ସି (ଭୁବନେଶ୍ୱର ମହାନଗର ନିଗମ) ଯେଉଁଠି ଦୁଇଚକିଆ ଗାଡ଼ି ପାଇଁ ୨ ଘଣ୍ଟାରେ ୧୦ ଟଙ୍କା ଓ ଚାରିଚକିଆ ପାଇଁ ୨୦ ଟଙ୍କା ଧାର୍ଯ୍ୟ କରିଛି, ସେଠି ଲିଜ୍ଧାରୀମାନେ ମନଇଚ୍ଛା ଭାବେ ୫୦ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଛନ୍ତି।

ବିଏମ୍‌ସି ଖଣ୍ଡଗିରି ମେଳା ପାଇଁ ଖଣ୍ଡଗିରି ଥାନା ସାମନା, ଖାରବେଳ ପାର୍କ, ଜାଗମରା ହାଉସିଂ ବୋର୍ଡ ସାମନା, ଖଣ୍ଡଗିରି ବାରି ଓ ଖଣ୍ଡଗିରି ଓଭରବ୍ରିଜ୍ ତଳେ ଏଭଳି ୫ଟି ସ୍ଥାନକୁ ପାର୍କିଂ ପାଇଁ ଚିହ୍ନଟ କରି ଲିଜ୍ ଦେଇଛି। ଏହି ସବୁ ସ୍ଥାନରେ ପ୍ରତିଦିନ ଅତି କମ୍ରେ ୩ ହଜାରରୁ ଅଧିକ ବାଇକ୍ ପାର୍କିଂ ହେଉଛି। ବିଏମ୍‌ସି ଧାର୍ଯ୍ୟ ଦର ଓ ଆସଲ ଆଦାୟ ମଧ୍ୟରେ ୪୦ ଟଙ୍କା ତଫାତ ହେଲେ, ଦିନକୁ ମାତ୍ର ବାଇକ୍ ପାର୍କିଂରୁ ହିଁ ପ୍ରାୟ ୧ ଲକ୍ଷ ୨୦ ହଜାର ଟଙ୍କା ଅତିରିକ୍ତ ଭାବେ ଲୁଟି ନିଆଯାଉଛି। କାର୍ ପାର୍କିଂରେ ମଧ୍ୟ ୨୦ ଟଙ୍କା ବଦଳରେ ୧୦୦ରୁ ୨୦୦ ଟଙ୍କା ନିଆଯାଉଥିବାରୁ ମୋଟ ଅବୈଧ ଆଦାୟ ଦିନକୁ ୫ ଲକ୍ଷ ଟଙ୍କାରୁ ଅଧିକ ପହଞ୍ଚିଛି।

ଅଭିଯୋଗ ହେଉଛି, ଲିଜ୍ ନେଇଥିବା ଠିକାଦାରମାନେ ବିଏମ୍‌ସି ଧାର୍ଯ୍ୟ ଦର ଲେଖା ଥିବା ଫଳକକୁ ଫିଙ୍ଗି ଦେଇ ମନମାନି ଫି ନେଉଛନ୍ତି। କେଉଁଠି ବାଇକ୍ ପାଇଁ ୩୦ ଟଙ୍କା ତ କେଉଁଠି ୫୦ ଟଙ୍କା, ଆଉ କାର୍ ପାଇଁ ଯେତେ ମନ ହେଲା ସେତେ ଆଦାୟ କରାଯାଉଛି। ଟିକେଟ୍‌ରେ ଗାଡ଼ି ନମ୍ବର, ସମୟ ଭଳି ବିବରଣୀ ମଧ୍ୟ ଲେଖାଯାଉନାହିଁ, ଯାହା ସଂପୂର୍ଣ୍ଣ ଭାବେ ନିୟମ ଉଲ୍ଲଂଘନ।ବିଏମ୍‌ସି ନିୟମ ଅନୁଯାୟୀ ଧାର୍ଯ୍ୟ ଟଙ୍କାଠାରୁ ଅଧିକ ନେଲେ କିମ୍ବା ଟିକେଟ୍‌ରେ ବିବରଣୀ ନ ରଖିଲେ ୧ ହଜାର ଟଙ୍କା ଜରିମାନା ହେବା କଥା। ହେଲେ ଗତ ବର୍ଷ ଏଭଳି ଅଭିଯୋଗ ଥିଲା ସତ୍ତ୍ୱେ ଏ ବର୍ଷ ମଧ୍ୟ କୌଣସି କଢ଼ା କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳୁନାହିଁ। ଫଳରେ ଠିକାଦାରମାନେ ନିର୍ଭୟ ଭାବେ ଲୁଟ୍‌ରାଜ ଚାଲାଇଛନ୍ତି।ଅନ୍ୟପଟେ, କମିସନରେଟ ପୁଲିସ ପକ୍ଷରୁ ‘ସନ୍ଧ୍ୟା ୫ଟା ପରେ ଖଣ୍ଡଗିରି ପାହାଡ଼କୁ ପ୍ରବେଶ ନିଷେଧ’ ବୋଲି ବ୍ୟାନର ଲଗାଯାଇଛି।

ହେଲେ ବ୍ୟାନର ପଛ ପଟେ ସନ୍ଧ୍ୟା ପରେ ଶହ ଶହ ପର୍ଯ୍ୟଟକ ପାହାଡ଼ ଉପରେ ଭିଡ଼ କରୁଛନ୍ତି, ସେଲ୍ଫି ନେଉଛନ୍ତି ଓ କେହି କେହି ଅବୈଧ ଭାବେ ନିଶାଦ୍ରବ୍ୟ ସେବନ କରୁଥିବା ମଧ୍ୟ ଦେଖାଯାଉଛି। ତଥାପି କେହି ବାରଣ କରୁନାହାନ୍ତି, ଯାହା ପ୍ରଶାସନର ଦୁଇମୁହା ନୀତିକୁ ସ୍ପଷ୍ଟ କରୁଛି। ଏଭଳି ପରିସ୍ଥିତିରେ ସାଧାରଣ ଲୋକ ପ୍ରଶ୍ନ କରୁଛନ୍ତି—ଏହି ଲକ୍ଷାଧିକ ଟଙ୍କାର ଅବୈଧ ଆଦାୟ କାହା ପକେଟକୁ ଯାଉଛି? ଠିକାଦାର ଏକା ନେଉଛନ୍ତି, ନା ଏଥିରେ ବିଏମ୍‌ସିର କିଛି ଅଧିକାରୀଙ୍କ ମଧ୍ୟ ଭାଗ ରହିଛି? ଯଦି ଶୀଘ୍ର କଢ଼ା କାର୍ଯ୍ୟାନୁଷ୍ଠାନ ନିଆଯାଏନି, ତେବେ ଖଣ୍ଡଗିରି ମେଳା ସାଧାରଣ ଲୋକଙ୍କ ପାଇଁ ଉତ୍ସବ ନୁହେଁ, ଶୋଷଣର ଅନୁଭୂତି ହୋଇ ରହିବ।

Leave a Reply

Your email address will not be published. Required fields are marked *