ନ୍ୟୁଜ ଡେକ୍ସ : ରାଜ୍ୟର ଗାଡ଼ି ଚାଳକ ଓ ଯାନମାଳିକଙ୍କ ପାଇଁ ସରକାର ଏକ ବଡ଼ ରାହତମୂଳକ ପଦକ୍ଷେପ ନେଇଛନ୍ତି। ଯେଉଁ ଗାଡ଼ିମାନଙ୍କ ପାଖରେ ବର୍ତ୍ତମାନ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUC) ରହିଛି, ସେମାନଙ୍କ ଉପରେ ପୂର୍ବରୁ କଟାଯାଇଥିବା ସମସ୍ତ ପ୍ରଦୂଷଣ ସମ୍ବନ୍ଧୀୟ ଚାଲାଣକୁ କ୍ଷମା କରିଦିଆଯାଉଛି। ଏହି ସୁବିଧା କେବଳ ଗୋଟିଏ କିମ୍ବା ଦୁଇଥର ନୁହେଁ, ବରଂ ପୂର୍ବରୁ ଯେତେଥର ପ୍ରଦୂଷଣ ନିୟମ ଉଲ୍ଲଂଘନ ପାଇଁ ଚାଲାଣ କଟାଯାଇଥିବ, ସେ ସବୁକୁ ମାଫ କରାଯିବ।
ରାଜ୍ୟ ପରିବହନ ପ୍ରାଧିକରଣ (STA) ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ନୂଆ ବ୍ୟବସ୍ଥା ଜାନୁଆରୀ ୧୪ ତାରିଖରୁ ଲାଗୁ ହୋଇଛି। ଆଶ୍ଚର୍ଯ୍ୟଜନକ ଭାବେ, କେବଳ ୧୦ ଦିନ ମଧ୍ୟରେ ପ୍ରାୟ ୧୦ କୋଟି ଟଙ୍କାର ପ୍ରଦୂଷଣ ଚାଲାଣ କ୍ଷମା କରାଯାଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି।ପ୍ରଦୂଷଣ ପ୍ରମାଣପତ୍ର ପାଇବାକୁ ନିୟମ କିଛି କୋହଳ କରାଯିବା ସମ୍ପର୍କରେ ପୂର୍ବରୁ ପରିବହନ ମନ୍ତ୍ରୀ ଘୋଷଣା କରିଥିଲେ। ସେହି ଘୋଷଣା ପରେ ହିଁ ଏହି ନୂଆ ଛାଡ଼ ନୀତିକୁ କାର୍ଯ୍ୟକାରୀ କରାଯାଇଛି। ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଅଧିକାଧିକ ଯାନକୁ ପ୍ରଦୂଷଣ ପ୍ରମାଣପତ୍ର ଆଣିବା ପାଇଁ ଉତ୍ସାହିତ କରିବା ଏବଂ ପରିବେଶ ସୁରକ୍ଷାକୁ ମଜବୁତ କରିବା। ତଥାପି, ଏହି ଛାଡ଼ ପାଇଁ କିଛି ସର୍ତ୍ତ ରଖାଯାଇଛି।
ପ୍ରଦୂଷଣ ବ୍ୟତୀତ ଯଦି ଅନ୍ୟ କୌଣସି ଟ୍ରାଫିକ୍ ଚାଲାଣ ଯେପରିକି ଲାଇସେନ୍ସ, ଇନ୍ସୁରେନ୍ସ, ହେଲମେଟ୍, ଫିଟନେସ୍ ଆଦି ସମ୍ପର୍କିତ ଲାଗିଥାଏ, ସେଗୁଡ଼ିକୁ ପ୍ରଥମେ ଦେୟ କରିବା ବାଧ୍ୟତାମୂଳକ। ସେହି ଚାଲାଣ ଦେୟ ନକରିଲେ, ପ୍ରଦୂଷଣ ସମ୍ବନ୍ଧୀୟ ଜରିମାନା ମାଫ ମିଳିବ ନାହିଁ ବୋଲି STA ସ୍ପଷ୍ଟ କରିଛି।ଏହି ସୁବିଧା ନେବାକୁ ଇଚ୍ଛୁକ ଯାନମାଳିକମାନେ ସ୍ଥାନୀୟ RTO କିମ୍ବା STA କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ। ଏହାସହ, ଯେଉଁମାନେ ଚାହୁଁଛନ୍ତି ସେମାନେ ବ୍ୟକ୍ତିଗତ ଭାବେ STA କାର୍ଯ୍ୟାଳୟକୁ ଯାଇ କିମ୍ବା ଇ-ମେଲ୍ ମାଧ୍ୟମରେ ଦରଖାସ୍ତ ପଠାଇ ମଧ୍ୟ ଏହି ଛାଡ଼ ପାଇଁ ଆବେଦନ କରିପାରିବେ। ଦରଖାସ୍ତ ଯାଞ୍ଚ ପରେ ଯୋଗ୍ୟ ମାମଲାରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କର୍ତ୍ତୃପକ୍ଷ ଜଣାଇଛନ୍ତି।ଏହି ପଦକ୍ଷେପ ଦ୍ୱାରା ଗାଡ଼ିମାଳିକମାନେ ଆର୍ଥିକ ରାହତ ପାଇବା ସହିତ ସହିତ ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ଆହୁରି ମଜବୁତ ହେବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।

