ନ୍ୟୁଜ ଡେକ୍ସ : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ ନବରତ୍ନ କମ୍ପାନୀ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ଆର୍ଥିକ ବର୍ଷ ୨୦୨୫–୨୬ର ତୃତୀୟ ତ୍ରୈମାସିକରେ ଐତିହାସିକ ସଫଳତା ହାସଲ କରିଛି। ଡିସେମ୍ବର ୨୦୨୫ରେ ସମାପ୍ତ ହୋଇଥିବା ଏହି ତ୍ରୈମାସିକରେ କମ୍ପାନୀର ନିଟ ଲାଭ ୧୬୦୧ କୋଟି ଟଙ୍କାକୁ ପହଞ୍ଚିଛି, ଯାହା ସର୍ବକାଳୀନ ସର୍ବାଧିକ।
ଭୁବନେଶ୍ୱରରେ ଆୟୋଜିତ ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ଘୋଷିତ ତଥ୍ୟ ଅନୁଯାୟୀ, ତୃତୀୟ ତ୍ରୈମାସିକରେ ନାଲକୋର ମୋଟ ଆୟ ୪,୯୨୫ କୋଟି ଟଙ୍କା ହୋଇଥିବାବେଳେ ପୂର୍ବବର୍ଷ ଏହି ସମୟରେ ଏହା ୪,୭୬୧ କୋଟି ଟଙ୍କା ଥିଲା। ଏହା ସହିତ, ଡିସେମ୍ବର ୨୦୨୫ରେ ସମାପ୍ତ ହୋଇଥିବା ୯ ମାସରେ କମ୍ପାନୀର ମୋଟ କାରବାର ୧୨,୮୩୦ କୋଟି ଟଙ୍କା ଓ ନିଟ ଲାଭ ୪,୦୯୮ କୋଟି ଟଙ୍କାକୁ ପହଞ୍ଚିଛି।ନିଟ ଲାଭରେ ୨୬ ପ୍ରତିଶତ ଏବଂ ମୋଟ କାରବାରରେ ୧୧ ପ୍ରତିଶତ ବୃଦ୍ଧି ହେବା ନାଲକୋର ଶକ୍ତିଶାଳୀ ବ୍ୟବସାୟ ନୀତିର ପ୍ରମାଣ ଭାବେ ଦେଖାଯାଉଛି।
ନାଲକୋ ସିଏମଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ, ମୂଲ୍ୟ ଅପ୍ଟିମାଇଜେସନ୍, ମାର୍ଜିନ୍ ପରିଚାଳନା, ଗୁଣବତ୍ତା ବୃଦ୍ଧି ଓ କ୍ୟାପ୍ଟିଭ୍ କୋଇଲା ଖଣିର ଉଚ୍ଚ ଉପଯୋଗ ଯୋଗୁଁ ଏହି ଅଭୂତପୂର୍ବ ସଫଳତା ମିଳିପାରିଛି।କମ୍ପାନୀ ତରଫରୁ ଆର୍ଥିକ ବର୍ଷ ୨୦୨୫–୨୬ ପାଇଁ ଇକ୍ୱିଟି ସେୟାର ପ୍ରତି ୪.୫୦ ଟଙ୍କା ଦ୍ୱିତୀୟ ଇଣ୍ଟେରିମ ଡିଭିଡେଣ୍ଡ ଘୋଷଣା କରାଯାଇଛି, ଯାହା ନିବେଶକମାନଙ୍କ ପାଇଁ ଖୁସିର ଖବର ହୋଇଛି।

