Sat. Feb 21st, 2026

ନ୍ୟୁଜ ଡେକ୍ସ : ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ ୨୦୨୬ ଉପସ୍ଥାପନ କରି ଦେଶ ସହ ଓଡ଼ିଶା ପାଇଁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏହି ବଜେଟରେ ଉଦ୍ୟୋଗ, ନିଯୁକ୍ତି, ପର୍ଯ୍ୟଟନ, ପରିବେଶ ସୁରକ୍ଷା ଏବଂ ଢଞ୍ଚାଗତ ବିକାଶକୁ ଗୁରୁତ୍ୱ ଦିଆଯାଇଥିବା ଦେଖିବାକୁ ମିଳିଛି।ଓଡ଼ିଶା ସମେତ କେରଳ, ତାମିଲନାଡୁ, ଛତିଶଗଡ ଓ ଝାଡଖଣ୍ଡରେ “ବିରଳ ଖଣିଜ କରିଡର” ନିର୍ମାଣ କରାଯିବ ବୋଲି ଘୋଷଣା କରାଯାଇଛି।

ଏହା ମାଧ୍ୟମରେ ଖଣିଜ ସମ୍ପଦର ଉପଯୋଗ, ଶିଳ୍ପ ସ୍ଥାପନ ଓ ରୋଜଗାର ସୃଷ୍ଟିକୁ ବଡ଼ ମାତ୍ରାରେ ଗତି ମିଳିବ ବୋଲି ଆଶା କରାଯାଉଛି।ପରିବେଶ ସୁରକ୍ଷା ଓ ପର୍ଯ୍ୟଟନକୁ ଏକାସାଥିରେ ଉନ୍ନତ କରିବା ପାଇଁ ଓଡ଼ିଶା, କର୍ଣ୍ଣାଟକ ଓ କେରଳର ପ୍ରମୁଖ କଇଁଛ ବାସସ୍ଥଳୀଗୁଡ଼ିକରେ କଇଁଛଙ୍କ ପାଇଁ ବିଶେଷ ପଥ (ଟର୍ଟଲ୍ କରିଡର) ବିକାଶ କରାଯିବ। ଏହା ସହ ଆନ୍ଧ୍ର ପ୍ରଦେଶର ପୁଲିକାଟ ହ୍ରଦ କୂଳରେ ପକ୍ଷୀ ଦେଖିବା ପାଇଁ ୩ଟି ପଥ ନିର୍ମାଣ ହେବ, ଯାହା ଇକୋ-ଟୁରିଜମକୁ ବୃଦ୍ଧି ଦେବ। ବଜେଟରେ ସାରା ଦେଶର ୧୫ଟି ପ୍ରତ୍ନତାତ୍ତ୍ୱିକ ସ୍ଥାନ—ରାୟଗିରି, ଲୋଥଲ, ସାରନାଥ, ହସ୍ତିନାପୁର ସହ—କୁ ସାଂସ୍କୃତିକ ଗନ୍ତବ୍ୟସ୍ଥଳ ଭାବେ ବିକଶିତ କରିବାର ଯୋଜନା ରହିଛି। ଏହା ଦ୍ୱାରା ଭାରତର ଐତିହ୍ୟ ଓ ସଂସ୍କୃତିକୁ ବିଶ୍ୱଦରବାରେ ଆରୋହଣ କରାଯିବ।ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ ଅଧୀନରେ ୨୦୨୬ ମସିହାରେ ଭାରତ ପ୍ରଥମ ବିଗ୍ କ୍ୟାଟ୍ ସମ୍ମିଳନୀ ଆୟୋଜନ କରିବ, ଯେଉଁଠାରେ ୧୯ଟି ଦେଶ ସଂରକ୍ଷଣ ନୀତି ନେଇ ଏକାଠି ହେବେ।

ଏହା ଭାରତକୁ ବନ୍ୟଜନ୍ତୁ ସୁରକ୍ଷା କ୍ଷେତ୍ରରେ ବିଶ୍ୱନେତୃତ୍ୱ ଦେବ।ଓଡ଼ିଶା ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେଉଛି ଆଭ୍ୟନ୍ତରୀଣ ଜଳପଥ ବିକାଶ। ଜାତୀୟ ଜଳପଥ–୫ ମାଧ୍ୟମରେ ତାଳଚେର, ଅନୁଗୁଳ ଓ କଳିଙ୍ଗନଗର ଭଳି ଖଣିଜ ଓ ଶିଳ୍ପ କେନ୍ଦ୍ରଗୁଡ଼ିକୁ ପାରାଦୀପ ଓ ଧାମରା ବନ୍ଦର ସହ ସଂଯୋଗ କରାଯିବ। ଏହା ସହ ଦେଶରେ ଆଗାମୀ ୫ ବର୍ଷରେ ୨୦ଟି ନୂତନ ଜଳପଥ କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟ ଧରାଯାଇଛି।ବଜେଟରେ ପାଞ୍ଚଟି ପୂର୍ବୋଦୟ ରାଜ୍ୟରେ ପାଞ୍ଚଟି ପର୍ଯ୍ୟଟନ କେନ୍ଦ୍ର, ୪,୦୦୦ ଇ-ବସ୍, ପାଞ୍ଚଟି ଚିକିତ୍ସା ପର୍ଯ୍ୟଟନ କେନ୍ଦ୍ର ଏବଂ ବାୟୋଫାର୍ମା କ୍ଷେତ୍ର ପାଇଁ ଆଗାମୀ ପାଞ୍ଚ ବର୍ଷରେ ୧,୦୦୦ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି। ସମଗ୍ରରେ ବଜେଟ ୨୦୨୬ ଓଡ଼ିଶା ପାଇଁ ଶିଳ୍ପ, ପରିବେଶ, ପର୍ଯ୍ୟଟନ ଓ ଢଞ୍ଚାଗତ ବିକାଶରେ ନୂଆ ସୁଯୋଗ ନେଇଆସିଛି, ଯାହା ରାଜ୍ୟର ସାମଗ୍ରିକ ଉନ୍ନତିକୁ ଏକ ନୂତନ ଗତି ପ୍ରଦାନ କରିବ।

Leave a Reply

Your email address will not be published. Required fields are marked *