Sat. Feb 21st, 2026

ନ୍ୟୁଜ ଡେକ୍ସ : ଗତ କିଛି ଦିନ ଧରି ଓଡ଼ିଶାରେ ଶୀତର ପ୍ରଭାବ କମିଥିବା ପରି ଅନୁଭବ ହେଉଥିଲା। ରାତି ତାପମାତ୍ରା ବଢ଼ିଥିବାରୁ ଥଣ୍ଡା ଅନୁଭୂତି ମଧ୍ୟ କମିଥିଲା। ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ତୁଳନାମୂଳକ ଭାବେ ଅଧିକ ରହିବ ବୋଲି ଆକଳନ କରାଯାଇଛି। ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ପାରଦ ୧୬ରୁ ୧୭ ଡିଗ୍ରୀ ସେଲସିଅସ୍ ପାଖାପାଖି ରହିପାରେ, ଯାହା ସାଧାରଣ ଶୀତ ତୁଳନାରେ ଅଧିକ।କିନ୍ତୁ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଶୁକ୍ରବାରଠାରୁ ପରିସ୍ଥିତି ବଦଳିବ।

ରାତି ତାପମାତ୍ରା ଧୀରେ ଧୀରେ ଖସିବା ଆରମ୍ଭ କରିବ ଓ ଶୀତ ପୁଣି ଅନୁଭବ ହେବ। ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଶୁକ୍ରବାର ରାତି ତାପମାତ୍ରା ୧୨ରୁ ୧୪ ଡିଗ୍ରୀ ମଧ୍ୟରେ ରହିପାରେ।ଭିତର ଓଡ଼ିଶାର କିଛି ଜିଲ୍ଲାରେ ଥଣ୍ଡା ଆଉ ଅଧିକ ଅନୁଭୂତ ହେବ। ଶୁକ୍ରବାର ଫୁଲବାଣୀରେ ରାତି ତାପମାତ୍ରା ୧୨ ଡିଗ୍ରୀ, ବଲାଙ୍ଗିରରେ ୧୩ ଡିଗ୍ରୀ ଓ ବୌଦ୍ଧରେ ୧୪ ଡିଗ୍ରୀ ପାଖାପାଖି ରହିପାରେ। ରାଉରକେଲା ଓ ନବରଙ୍ଗପୁରରେ ମଧ୍ୟ ପାରଦ ୧୨ ଡିଗ୍ରୀ ପର୍ଯ୍ୟନ୍ତ ଖସିବାର ସମ୍ଭାବନା ରହିଛି। ଶନିବାର ଶୀତ ଆଉ ଜୋର ଧରିପାରେ। ଫୁଲବାଣୀ ଓ ନବରଙ୍ଗପୁରରେ ରାତି ତାପମାତ୍ରା ୧୧ ଡିଗ୍ରୀ ପର୍ଯ୍ୟନ୍ତ ଖସିବାର ଆକଳନ କରାଯାଇଛି, ଯାହା ଚଳିତ ଶୀତ ଋତୁର ଏକ ଠଣ୍ଡା ପର୍ଯ୍ୟାୟ ହେବ।

ଉଲ୍ଲେଖନୀୟ ଯେ, ଗତ ମଙ୍ଗଳବାର ରାତିରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୧୪-୧୫ ଡିଗ୍ରୀ ମଧ୍ୟରେ ରହିଥିଲା।ମୋଟକଥା, କିଛି ଦିନ ଧରି ମାନ୍ଦା ପଡ଼ିଥିବା ଶୀତ ଏବେ ପୁଣି ଫେରିବାକୁ ଯାଉଛି। ଆସନ୍ତା କିଛି ଦିନରେ ରାଜ୍ୟବାସୀଙ୍କୁ ରାତି ଓ ସକାଳବେଳେ ଠଣ୍ଡା ଅନୁଭବ ହେବା ସହିତ ଶୀତ ପୋଶାକର ଆବଶ୍ୟକତା ପୁଣି ବଢ଼ିବ।

Leave a Reply

Your email address will not be published. Required fields are marked *