ନ୍ୟୁଜ ଡେକ୍ସ : ବର୍ତ୍ତମାନର ବ୍ୟସ୍ତ ଜୀବନଶୈଳୀ ମଧ୍ୟରେ ଲୋକମାନେ ଧୀରେ ଧୀରେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେଉଛନ୍ତି। ଡାକ୍ତର ଓ ପୋଷଣ ବିଶେଷଜ୍ଞମାନେ ମଧ୍ୟ କହୁଛନ୍ତି ଯେ ସୁସ୍ଥ ଶରୀର ପାଇଁ ସକାଳର ବ୍ରେକଫାଷ୍ଟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସକାଳର ଖାଦ୍ୟ ଯେତେ ହେଲଦି ଓ ପୋଷ୍ଟିକ ହେବ, ଶରୀର ସେତେ ସୁସ୍ଥ ଓ ଶକ୍ତିଶାଳୀ ରହିବ। ଏହି ପରିପ୍ରେକ୍ଷିତରେ ଓଟ୍ସକୁ ଏକ ଉତ୍ତମ ଓ ସ୍ୱାସ୍ଥ୍ୟକର ବ୍ରେକଫାଷ୍ଟ ଭାବେ ଗଣ୍ୟ କରାଯାଉଛି।
ଓଟ୍ସରେ କ୍ୟାଲସିୟମ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଭିଟାମିନ୍–B ଭଳି ଅନେକ ଆବଶ୍ୟକ ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରକୁ ଶକ୍ତି ଦେବା ସହ ଅନେକ ରୋଗ ପ୍ରତିରୋଧ କରିବାରେ ସାହାଯ୍ୟ କରେ। ନିୟମିତ ଭାବେ ସକାଳେ ଓଟ୍ସ ଖାଇଲେ ପେଟ ସମ୍ବନ୍ଧୀୟ ସମସ୍ୟା, ଡାଇବେଟିସ୍, ହୃଦରୋଗ ଓ ଚର୍ମ ସମସ୍ୟା ପର୍ଯ୍ୟନ୍ତ ନିୟନ୍ତ୍ରଣରେ ରହିପାରେ।ପୋଷଣ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଓଟ୍ସରେ ଥିବା ହାଇ ଫାଇବର ପେଟର ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ। କୋଷ୍ଠକାଠିନ୍ୟ, ଗ୍ୟାସ୍, ପେଟ ଫୁଲିବା ଭଳି ସମସ୍ୟା ଥିଲେ ସକାଳ ବ୍ରେକଫାଷ୍ଟରେ ଓଟ୍ସ ଖାଇବା ଅତ୍ୟନ୍ତ ଲାଭଦାୟକ। ଏହା ପେଟକୁ ସଫା ରଖି ହଜମ ପ୍ରକ୍ରିୟାକୁ ଭଲ କରେ।
ଡାଇବେଟିସ୍ ରୋଗୀଙ୍କ ପାଇଁ ମଧ୍ୟ ଓଟ୍ସ ଏକ ଉତ୍ତମ ଖାଦ୍ୟ। ଏଥିରେ ଥିବା କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଓ ହାଇ ଫାଇବର ବ୍ଲଡ ସୁଗାରକୁ ଧୀରେ ଧୀରେ ବଢ଼ିବାରେ ସାହାଯ୍ୟ କରେ, ଯାହାର ଫଳରେ ସୁଗାର ଲେଭେଲ୍ ନିୟନ୍ତ୍ରଣରେ ରହିଥାଏ। ଏହା ସହିତ ଓଟ୍ସ ଖରାପ କୋଲେଷ୍ଟ୍ରଲ କମ୍ କରି ହୃଦୟକୁ ସୁସ୍ଥ ରଖିଥାଏ। ଏଥିରେ ଥିବା ଏଣ୍ଟେରୋଲାକ୍ଟୋନ ହୃଦରୋଗର ଝୁମକି କମେଇବାରେ ମଧ୍ୟ ସାହାଯ୍ୟ କରେ।ଚର୍ମ ସମସ୍ୟା ପାଇଁ ମଧ୍ୟ ଓଟ୍ସ ଅତ୍ୟନ୍ତ ଲାଭକାରୀ। ଓଟ୍ସ କୋଲାଜେନ୍ ଉତ୍ପାଦନକୁ ବଢ଼ାଇ ସ୍କିନ୍କୁ ମସୃଣ ଓ ସୁସ୍ଥ ରଖିଥାଏ। କୁଣ୍ଡେଇ, ଫୁଲିବା ଓ ଘାଆ ଭଳି ସମସ୍ୟାରୁ ମୁକ୍ତି ପାଇବାରେ ମଧ୍ୟ ଏହା ସାହାଯ୍ୟ କରେ।ଲୋକମାନେ ନିଜ ବ୍ରେକଫାଷ୍ଟରେ ଓଟ୍ସକୁ ବିଭିନ୍ନ ଉପାୟରେ ସାମିଲ କରିପାରନ୍ତି।
ଫଳ, ପନିପରିବା, ବାଦାମ ଓ ଦୁଧ ସହିତ ଓଟ୍ସ ଖାଇବା ସହଜ ଓ ସ୍ୱାଦିଷ୍ଟ ଉପାୟ। ଏହା ଛଡା ଓଟ୍ସ ଚିଲା, ଡୋସା, ଖିଚିଡ଼ି ଓ ଇଡଲି ଭଳି ବିଭିନ୍ନ ପଦାର୍ଥ ତିଆରି କରି ମଧ୍ୟ ଦୈନିକ ଡାଏଟ୍ରେ ଯୋଡ଼ାଯାଇପାରେ।ସମଗ୍ର ଭାବେ ଦେଖିଲେ, ସୁସ୍ଥ ଜୀବନ ଯାପନ ପାଇଁ ସକାଳର ବ୍ରେକଫାଷ୍ଟରେ ଓଟ୍ସ ଅନ୍ତର୍ଭୁକ୍ତ କରିବା ଏକ ସରଳ ଏବଂ କାର୍ଯ୍ୟକାରୀ ଉପାୟ। ହେଲଦି ଖାଦ୍ୟ ଓ ସୁସ୍ଥ ଆଦତ ଆପଣଙ୍କୁ ଦୀର୍ଘ ସମୟ ସୁସ୍ଥ ରଖିପାରିବ।

