ନ୍ୟୁଜ ଡେକ୍ସ : ସୁସ୍ଥ ରହିବା ପାଇଁ ସଠିକ୍ ଖାଦ୍ୟ ଚୟନ ଅତ୍ୟନ୍ତ ଜରୁରୀ। ଆମ ଦୈନିକ ଖାଦ୍ୟ ତାଲିକାରେ ଯଦି ଖଜୁରୀ ସାମିଲ କରାଯାଏ, ତେବେ ଶରୀରକୁ ଅନେକ ଉପକାର ମିଳିପାରେ। ଖଜୁରୀକୁ ପ୍ରାକୃତିକ ସୁପର୍ ଫୁଡ୍ ବୋଲି କୁହାଯାଏ, କାରଣ ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଛି, ଯାହା ଆମକୁ ସୁସ୍ଥ, ସକ୍ରିୟ ଓ ଶକ୍ତିଶାଳୀ ରଖିଥାଏ।ଖଜୁରୀରେ ପ୍ରଚୁର ପରିମାଣରେ ଗ୍ଲୁକୋଜ୍, ଫ୍ରୁକ୍ଟୋଜ୍ ଓ ସୁକ୍ରୋଜ୍ ଥାଏ।
ଏହି ସାକର ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ। ସକାଳେ ଜଳଖିଆ ସହିତ କିମ୍ବା ଦିନର ମଧ୍ୟଭାଗରେ ୨ରୁ ୩ଟି ଖଜୁରୀ ଖାଇଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଥକାନି ଅନୁଭବ ହୁଏନି ଏବଂ କାମରେ ମନ ଲାଗିରହେ।ବ୍ୟସ୍ତ ଜୀବନଶୈଳୀରେ ପାଚନ ସମସ୍ୟା ଏକ ସାଧାରଣ ଅସୁବିଧା ହୋଇଯାଇଛି। ଖଜୁରୀରେ ଥିବା ଡାଏଟ୍ରି ଫାଇବର ପେଟକୁ ସୁସ୍ଥ ରଖିବାରେ ବହୁତ ସାହାଯ୍ୟ କରେ। ଏହା କୋଷ୍ଠକାଠିନ୍ୟ, ଗ୍ୟାସ ଓ ବଦହଜମୀ ଭଳି ସମସ୍ୟାକୁ କମାଇଥାଏ ଏବଂ ଅନ୍ତନଳୀକୁ ସଫା ରଖେ। ନିୟମିତ ଖଜୁରୀ ଖାଇଲେ ହଜମ ପ୍ରକ୍ରିୟା ଭଲ ହୋଇଥାଏ। ବୟସ ବଢ଼ିବା ସହିତ ହାଡ଼ ଦୁର୍ବଳ ହେବା ସାଧାରଣ କଥା। ଖଜୁରୀରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ତମ୍ବା ଓ ସେଲେନିୟମ ଭଳି ଗୁରୁତ୍ୱପୂର୍ଣ୍ଣ ଖଣିଜ ରହିଛି, ଯାହା ହାଡ଼କୁ ମଜବୁତ କରିଥାଏ।
ଏହା ଅଷ୍ଟିଓପୋରୋସିସ ଭଳି ରୋଗର ଆଶଙ୍କାକୁ କମାଇବାରେ ସାହାଯ୍ୟ କରେ।ଖଜୁରୀ ରକ୍ତହୀନତା ଦୂର କରିବାରେ ମଧ୍ୟ ବେଶ୍ ଉପକାରୀ। ଏହା ଲୌହର ଏକ ଉତ୍କୃଷ୍ଟ ପ୍ରାକୃତିକ ଉତ୍ସ ହେବାରୁ ଲାଲ ରକ୍ତ କୋଷିକାର ଉତ୍ପାଦନ ବୃଦ୍ଧି କରେ। ଏହା ଶରୀରରେ ଅମ୍ଳଜାନ ପ୍ରବାହକୁ ଉନ୍ନତ କରି ଥକାପଣ ଓ ଦୁର୍ବଳତା ଦୂର କରେ, ବିଶେଷକରି ମହିଳାମାନଙ୍କ ପାଇଁ ଏହା ବହୁତ ଲାଭକାରୀ।ହୃଦୟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖଜୁରୀ ଉପକାରୀ। ଏଥିରେ ଥିବା ପୋଟାସିୟମ ରକ୍ତଚାପକୁ ନିୟନ୍ତ୍ରଣ କରେ। ଏହା ସହ ଆଣ୍ଟିଅକ୍ସିଡାଣ୍ଟ ଓ ଫ୍ଲାଭୋନଏଡ୍ସ ଖରାପ କୋଲେଷ୍ଟ୍ରଲ କମାଇ ଭଲ କୋଲେଷ୍ଟ୍ରଲ ବଢ଼ାଇ ହାର୍ଟକୁ ସୁସ୍ଥ ରଖେ। ତେବେ ଖଜୁରୀର ପ୍ରକୃତି ଗରମ ହୋଇଥିବାରୁ ଏହାକୁ ସୀମିତ ପରିମାଣରେ ଖାଇବା ଉଚିତ। ଦିନକୁ ୨ରୁ ୩ଟି ଖଜୁରୀ ଖାଇଲେ ଶରୀରକୁ ଆବଶ୍ୟକ ପୋଷଣ ମିଳିବ ଏବଂ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିପାରିବ।

