Sat. Feb 21st, 2026

ନ୍ୟୁଜ ଡେକ୍ସ : ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କମ୍ପୁଲେଇ ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ପାରିବାରିକ କଳହ ଏବଂ ଜମିବାଡି ବିବାଦକୁ ନେଇ ଜଣେ ବାପା ନିଜର ଜନ୍ମିତ ପୁଅକୁ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ଆସିଛି। ମୃତକ ହେଲେ ୨୬ ବର୍ଷୀୟ କ୍ଷୀରୋଦ ସାହୁ ଓ ଅଭିଯୁକ୍ତ ବାପା ହେଲେ ୫୫ ବର୍ଷୀୟ ବିଭୂତି ସାହୁ।ପ୍ରାପ୍ତ ସୂଚନା ଅନୁଯାୟୀ, କମ୍ପୁଲେଇ ଗାଁରେ ବିଭୂତି ସାହୁ ଓ ତାଙ୍କ ପୁଅ କ୍ଷୀରୋଦଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜମିବାଡିକୁ ନେଇ ଗଣ୍ଡଗୋଳ ଚାଲିଥିଲା।

ଘଟଣା ଦିନ ଏହି ବିବାଦ ଅଧିକ ଉଗ୍ର ରୂପ ନେଇଥିଲା। ଏନେଇ କ୍ଷୀରୋଦ କଙ୍କଡ଼ାହାଡ଼ ଥାନାକୁ ଯାଇ ତାଙ୍କ ବାପାଙ୍କ ବିରୋଧରେ ଏତଲା ଦେଇଥିଲେ।ଥାନାରେ ଏତଲା ଦେଇ ଘରକୁ ଫେରୁଥିବା ବେଳେ ବାଟରେ ବିଭୂତି ସାହୁ ହଠାତ୍ ପୁଅ କ୍ଷୀରୋଦଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଗୁରୁତର ଆହତ ହୋଇଥିବା କ୍ଷୀରୋଦଙ୍କୁ ପରିବାର ଲୋକେ ତୁରନ୍ତ କାମାକ୍ଷାନଗର ମେଡିକାଲକୁ ନେଇ ଭର୍ତ୍ତି କରାଇଥିଲେ, କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ହୃଦୟବିଦାରକ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ବାପା ବିଭୂତି ସାହୁ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। କ୍ଷୀରୋଦଙ୍କ ମୃତ୍ୟୁ ସୂଚନା ପାଇ କାମାକ୍ଷାନଗର ଏସଡିପିଓ ରଜନୀକାନ୍ତ ସାମଲ ମେଡିକାଲରେ ପହଞ୍ଚି ମୃତଦେହର ଯାଞ୍ଚ ଓ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।ପୋଲିସ ପକ୍ଷରୁ ଅଭିଯୁକ୍ତ ବିଭୂତି ସାହୁଙ୍କୁ ଗିରଫ କରିବା ପାଇଁ ଚାପାମାରି ଜାରି ରହିଛି। ଏହି ଘଟଣାକୁ ନେଇ କମ୍ପୁଲେଇ ଗାଁ ଓ ପାଶ୍ୱର୍ତ୍ତୀ ଅଞ୍ଚଳରେ ଶୋକ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *