ନ୍ୟୁଜ ଡେକ୍ସ : ଜାପାନର ରାଜନୀତିକ ଇତିହାସରେ ଏକ ନୂତନ ଅଧ୍ୟାୟ ଲେଖା ହୋଇଛି। ରବିବାର ସମ୍ପନ୍ନ ହୋଇଥିବା ଜାପାନୀ ପ୍ରତିନିଧି ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କ ନେତୃତ୍ୱରେ ଲିବରଲ୍ ଡେମୋକ୍ରାଟିକ୍ ପାର୍ଟି (LDP) ଐତିହାସିକ ବିଜୟ ହାସଲ କରିଛି। ଭୋଟଗଣନା ଶେଷ ହେବାର ମାତ୍ର ଦୁଇ ଘଣ୍ଟା ମଧ୍ୟରେ LDP ବହୁମତ ପାଇଁ ଆବଶ୍ୟକ ୨୩୩ ଆସନକୁ ଅତିକ୍ରମ କରିଦେଇଥିଲା।
ଶେଷ ପରିଣାମରେ ୪୬୫ ଆସନରୁ LDP ୩୧୨ଟି ଆସନ ଜିତି ସ୍ପଷ୍ଟ ଓ ସ୍ଥିର ସରକାର ଗଠନ କରିବାର ମାର୍ଗ ସୁଗମ କରିଛି।୬୪ ବର୍ଷୀୟ ସାନାଏ ତାକାଇଚିଙ୍କ ଏହି ବିଜୟକୁ ଦଳର ସର୍ବୋତ୍ତମ ପ୍ରଦର୍ଶନମାନଙ୍କ ମଧ୍ୟରୁ ଗୋଟିଏ ବୋଲି ଗଣମାଧ୍ୟମ ମୂଲ୍ୟାୟନ କରୁଛି। ନିର୍ବାଚନ ଫଳାଫଳ ଆସିବା ସହିତ ଦେଶ–ବିଦେଶରୁ ଅଭିନନ୍ଦନର ସ୍ରୋତ ବହିବା ଆରମ୍ଭ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ମାଧ୍ୟମରେ ତାକାଇଚିଙ୍କୁ ତାଙ୍କ ଜବରଦସ୍ତ ଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ‘ଏକ୍ସ’ (ପୂର୍ବତନ ଟ୍ୱିଟର) ରେ ପୋଷ୍ଟ କରି କହିଛନ୍ତି,“ଭାରତ–ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବିଶ୍ୱ ସହଭାଗୀତା ବିଶ୍ୱରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧିକୁ ପ୍ରୋତ୍ସାହିତ କରେ।
ଆପଣଙ୍କ ସକ୍ଷମ ନେତୃତ୍ୱରେ ଆମେ ଏହି ବନ୍ଧୁତାକୁ ଆହୁରି ଉଚ୍ଚତାକୁ ନେଇଯିବୁ।”ବିଶ୍ୱ ନେତାମାନଙ୍କର ଏହି ଅଭିନନ୍ଦନ ଜାପାନର ନୂତନ ସରକାର ପ୍ରତି ଆନ୍ତର୍ଜାତିକ ଆତ୍ମବିଶ୍ୱାସକୁ ପ୍ରତିବିମ୍ବିତ କରୁଛି। ତାକାଇଚିଙ୍କ ଦୃଢ଼ ମାଣ୍ଡେଟ୍ ଜାପାନର ଅର୍ଥନୀତି, ସୁରକ୍ଷା, ଏବଂ ଆନ୍ତର୍ଜାତିକ ସହଯୋଗରେ ନୂଆ ଗତି ଆଣିବ ବୋଲି ଆଶା କରାଯାଉଛି। ବିଶେଷକରି ଭାରତ–ଜାପାନ ସମ୍ପର୍କ ଆସନ୍ତା ଦିନରେ ଆହୁରି ଦୃଢ଼ ହେବାର ସଙ୍କେତ ଏହି ଜୟ ସହିତ ମିଳିଛି।

