Sun. Feb 22nd, 2026

ନ୍ୟୁଜ ଡେକ୍ସ : ଭାରତର ଚନ୍ଦ୍ର ଅଭିଯାନରେ ଆଉ ଏକ ଐତିହାସିକ ପଦକ୍ଷେପ ନେଇଛି ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)। ଚନ୍ଦ୍ରଯାନ–୪ ମିଶନ ପାଇଁ ଚନ୍ଦ୍ରରେ ଅବତରଣ ସ୍ଥାନ ସଫଳତାର ସହିତ ଚିହ୍ନଟ କରାଯାଇଛି। ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳର ‘ମୋନ୍ସ ମାଉଣ୍ଟେନ୍’ (Mons Mountain) ଭିତରେ ଥିବା MM–4 ସ୍ଥାନକୁ ଲ୍ୟାଣ୍ଡିଂ ପାଇଁ ସର୍ବାଧିକ ସୁରକ୍ଷିତ ଓ ଉପଯୁକ୍ତ ବୋଲି ISRO ବୈଜ୍ଞାନିକମାନେ ଚୟନ କରିଛନ୍ତି।

ISRO ଅଧିକାରୀମାନଙ୍କ କହିବା ଅନୁଯାୟୀ, ମୋନ୍ସ ମାଉଣ୍ଟେନ୍ ଅଞ୍ଚଳରେ MM–1, MM–3, MM–4 ଓ MM–5 — ଏହି ଚାରୋଟି ସମ୍ଭାବ୍ୟ ସ୍ଥାନକୁ ଅତ୍ୟନ୍ତ ସୂକ୍ଷ୍ମ ଭାବରେ ଅଧ୍ୟୟନ କରାଯାଇଥିଲା। ଅର୍ବିଟର୍ ହାଇ ରିଜୋଲ୍ୟୁସନ୍ କ୍ୟାମେରା (OHRC) ଓ ବିଭିନ୍ନ ଉପଗ୍ରହ ଚିତ୍ର ବ୍ୟବହାର କରି ଏହି ସ୍ଥାନଗୁଡ଼ିକର ଭୂ-ପୃଷ୍ଠ ଗଠନ, ଉଚ୍ଚତା, ଢାଳ, ପଥରର ସଂଖ୍ୟା ଓ ସୁରକ୍ଷା ସମ୍ଭାବନା ଆଦିକୁ ମୂଲ୍ୟାଙ୍କନ କରାଯାଇଥିଲା। ଏହା ପରେ MM–4 ସ୍ଥାନକୁ ପ୍ରାୟ ୧ ବର୍ଗ କିଲୋମିଟର ପରିମିତ ଏକ ସୁରକ୍ଷିତ ଲ୍ୟାଣ୍ଡିଂ ଜୋନ୍‌ ଭାବେ ଚିହ୍ନଟ କରାଯାଇଛି। ଚନ୍ଦ୍ରଯାନ–୪ ମିଶନର ପ୍ରମୁଖ ଲକ୍ଷ୍ୟ ହେଉଛି ଚନ୍ଦ୍ରରୁ ମାଟି ଓ ପଥର ନମୁନା ସଂଗ୍ରହ କରି ସେଗୁଡ଼ିକୁ ସୁରକ୍ଷିତ ଭାବରେ ପୃଥିବୀକୁ ଆଣିବା। ଏହି ମିଶନ୍‌କୁ କେନ୍ଦ୍ର ସରକାର ପୂର୍ବରୁ ଅନୁମୋଦନ ଦେଇଛନ୍ତି ଏବଂ ୨୦୨୮ ମସିହାରେ ଏହାକୁ ଲଞ୍ଚ କରିବା ଲକ୍ଷ୍ୟ ରଖାଯାଇଛି। ISRO ଅଧ୍ୟକ୍ଷ ଭି. ନାରାୟଣନ୍ ପୂର୍ବରୁ କହିଥିଲେ, “ଚନ୍ଦ୍ରଯାନ–୪ ପାଇଁ ୨୦୨୮ ହେଉଛି ଆମର ଲକ୍ଷ୍ୟ।”

ଚନ୍ଦ୍ରଯାନ–୪ ଭାରତର ଏପର୍ଯ୍ୟନ୍ତ ସବୁଠାରୁ ଜଟିଳ ଚନ୍ଦ୍ର ମିଶନ୍ ହେବ। ଏହାର ପାଞ୍ଚଟି ମୁଖ୍ୟ ଉପାଦାନ ରହିବ — ପ୍ରପଲ୍ସନ୍ ମଡ୍ୟୁଲ୍ (PM), ଡିସେଣ୍ଡର୍ ମଡ୍ୟୁଲ୍ (DM), ଆସେଣ୍ଡର୍ ମଡ୍ୟୁଲ୍ (AM), ଟ୍ରାନ୍ସଫର ମଡ୍ୟୁଲ୍ (TM) ଏବଂ ପୁନଃ-ପ୍ରବେଶ ମଡ୍ୟୁଲ୍ (RM)। ଡିସେଣ୍ଡର୍ ଓ ଆସେଣ୍ଡର୍ ମଡ୍ୟୁଲ୍ ମିଶି ଏକ ଷ୍ଟାକ୍ ଗଠନ କରିବ, ଯାହା ଧୀରେ ଧୀରେ ନିର୍ଦ୍ଦିଷ୍ଟ ଚନ୍ଦ୍ର ପୃଷ୍ଠକୁ ଅବତରଣ କରିବ।ଅବତରଣ ସମୟରେ ସଠିକ୍ ମାର୍ଗଦର୍ଶନ, ନାଭିଗେସନ୍ ଓ ନିୟନ୍ତ୍ରଣ ପ୍ରଣାଳୀର ସହାୟତାରେ ଲ୍ୟାଣ୍ଡରକୁ MM–4 ସ୍ଥାନରେ ସୁରକ୍ଷିତ ଭାବେ ଅବତରଣ କରାଯିବ। ତା’ପରେ ନମୁନା ସଂଗ୍ରହ କରି ଆସେଣ୍ଡର୍ ମଡ୍ୟୁଲ୍ ମାଧ୍ୟମରେ ସେଗୁଡ଼ିକୁ ଅର୍ବିଟର୍ ଓ ପରେ ପୃଥିବୀକୁ ପଠାଯିବ। ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଜଳବରଫ ଓ ଦୁର୍ଲଭ ଖଣିଜ ଥିବା ସମ୍ଭାବନା ଥିବାରୁ ଏହି ମିଶନ୍ ଭାରତର ଭବିଷ୍ୟତ ଚନ୍ଦ୍ର ଗବେଷଣା ପାଇଁ ଏକ ମାଇଲସ୍ଟୋନ୍ ସାବିତ ହେବ ବୋଲି ବୈଜ୍ଞାନିକମାନେ ଆଶା କରୁଛନ୍ତି।

Leave a Reply

Your email address will not be published. Required fields are marked *