ନ୍ୟୁଜ ଡେକ୍ସ : ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଫେବୃଆରୀ ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଆଧିକାରିକ ଭାରତ ଗସ୍ତରେ ଆସିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଏହି ଗସ୍ତ ହେଉଛି। ମଙ୍ଗଳବାର ବୈଦେଶିକ ମନ୍ତ୍ରଣାଳୟ (MEA) ପକ୍ଷରୁ ଏହି ସୂଚନା ଦିଆଯାଇଛି।ଏହି ଗସ୍ତ ସମୟରେ ରାଷ୍ଟ୍ରପତି ମାକ୍ରନ ନୂଆଦିଲ୍ଲୀ ଏବଂ ମୁମ୍ବାଇ ଗସ୍ତ କରିବେ। ଦିଲ୍ଲୀରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ, ଯେଉଁଥିରେ ଭାରତ–ଫ୍ରାନ୍ସ ସମ୍ପର୍କକୁ ଆଉ ଅଧିକ ସୁଦୃଢ଼ କରିବା ଉପରେ ଗଭୀର ଆଲୋଚନା ହେବ।
ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଏହି ବୈଠକରେ ପ୍ରତିରକ୍ଷା, ବାଣିଜ୍ୟ, ଉର୍ଜା, ପ୍ରଯୁକ୍ତି, ଜଳବାୟୁ ପରିବର୍ତ୍ତନ, ଶିକ୍ଷା, ଗବେଷଣା ଏବଂ ନବସୃଜନ ଭଳି ମୁଖ୍ୟ କ୍ଷେତ୍ରଗୁଡ଼ିକରେ ସହଯୋଗ ବଢ଼ାଇବା ଉପରେ ଆଲୋଚନା ହେବ।ଦୁଇ ଦେଶ ଭାରତ–ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଗଭୀର ରଣନୈତିକ ସ୍ୱାର୍ଥ ରଖୁଥିବାରୁ, ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ମଧ୍ୟ ଏହି ଆଲୋଚନାର ମୁଖ୍ୟ ଭାଗ ରହିବ। ସୁରକ୍ଷା, ସମୁଦ୍ରୀୟ ସହଯୋଗ ଏବଂ ଭାରତ–ପ୍ରଶାନ୍ତ କ୍ଷେତ୍ରରେ ସ୍ଥିରତା ରକ୍ଷା ନେଇ ଉଭୟ ପକ୍ଷ ମତ ବିନିମୟ କରିବେ। ଗସ୍ତ ସମୟରେ ରାଷ୍ଟ୍ରପତି ମାକ୍ରନ୍ ମୁମ୍ବାଇ ଯାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମିଶି ‘ଭାରତ–ଫ୍ରାନ୍ସ ନବସୃଜନ ବର୍ଷ’ର ଉଦଘାଟନ କରିବେ। ୨୦୨୬ ବର୍ଷକୁ ଆନୁଷ୍ଠାନିକ ଭାବେ ଭାରତ–ଫ୍ରାନ୍ସ ଇନୋଭେସନ ବର୍ଷ ଭାବେ ଘୋଷଣା କରାଯାଇଛି। ଏହି ବର୍ଷ ସାରା ଉଭୟ ଦେଶରେ ନୂତନ ପ୍ରଯୁକ୍ତି, ଷ୍ଟାର୍ଟଅପ୍, ଗବେଷଣା, ପରିବେଶ ସୁରକ୍ଷା ଏବଂ ସାଂସ୍କୃତିକ ଆଦାନ–ପ୍ରଦାନ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ।
ଏହା ସହିତ, ଫେବୃଆରୀ ୧୯ ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ‘AI ପ୍ରଭାବ ସମ୍ମିଳନୀ’ରେ ରାଷ୍ଟ୍ରପତି ମାକ୍ରନ୍ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତ୍ତା (Artificial Intelligence) ସମ୍ପର୍କିତ ନୀତି, ନବସୃଜନ, ସୁରକ୍ଷା ଓ ଭବିଷ୍ୟତ ଚ୍ୟାଲେଞ୍ଜ ଉପରେ ଆଲୋଚନା ହେବ। ପୂର୍ବରୁ ପ୍ୟାରିସରେ ହୋଇଥିବା ଏଆଇ ସମ୍ମିଳନୀରେ ଭାରତ ଓ ଫ୍ରାନ୍ସ ଏକାଠି ଗୁରୁତ୍ୱପୂର୍ଣ୍ଣ ପ୍ରଗତି କରିଥିବା ଉଲ୍ଲେଖ କରି ମାକ୍ରନ୍ କହିଥିଲେ ଯେ, ସେହି ପ୍ରୟାସକୁ ଏବେ ଭାରତରେ ଆଉ ଆଗକୁ ନିଆଯିବ।ମାକ୍ରନଙ୍କ ଏହି ଗସ୍ତ ଭାରତ–ଫ୍ରାନ୍ସ ସମ୍ପର୍କକୁ ଏକ ନୂଆ ଉଚ୍ଚତାକୁ ନେଇଯିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମନେ କରୁଛନ୍ତି।

