ନ୍ୟୁଜ ଡେକ୍ସ : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଗୁରୁବାର ସଂସଦୀୟ ନିର୍ବାଚନକୁ “ନାଟକୀୟ ପ୍ରହସନ” ବୋଲି କହି ଏହାକୁ ବାତିଲ କରିବାକୁ ଦାବି କରିଛନ୍ତି। ସେ ଭୋଟ ପ୍ରକ୍ରିୟାରେ ବ୍ୟାପକ ହେରଫେର, ଧମକ ଏବଂ ହିଂସା ଘଟିଥିବା ଅଭିଯୋଗ ଉଠାଇଛନ୍ତି।ତାଙ୍କ ଦଳ ଆୱାମୀ ଲିଗର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଜାରି ବିବୃତ୍ତିରେ କୁହାଯାଇଛି ଯେ, ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ପ୍ରଶାସନ ଦଳର ଅଂଶଗ୍ରହଣ ବିନା “ବେଆଇନ ଏବଂ ଅସାମ୍ବିଧାନିକ” ଭାବେ ନିର୍ବାଚନ କରାଇଛି।
ହସିନା କହିଛନ୍ତି ଯେ ଫେବୃଆରୀ ୧୧ ସନ୍ଧ୍ୟାରୁ ବୁଥ୍ କବଜା, ଗୁଳିଚାଳନା, ଭୋଟ କିଣା, ଟଙ୍କା ବଣ୍ଟନ ଓ ବାଲଟ୍ ମୋହର ମାରିବା ଭଳି ଘଟଣା ଆରମ୍ଭ ହୋଇଥିଲା। ଫେବୃଆରୀ ୧୨ ସକାଳ ସୁଦ୍ଧା ଅଧିକାଂଶ ପୋଲିଂ ଷ୍ଟେସନ୍ରେ ଭୋଟରଙ୍କ ସଂଖ୍ୟା ଅତ୍ୟନ୍ତ କମ୍ ଥିବା ସହ ଅନେକ ସ୍ଥାନରେ କୌଣସି ଭୋଟର ମଧ୍ୟ ନଥିଲେ। ଅଗଷ୍ଟ ୨୦୨୪ରେ ଆୱାମୀ ଲିଗ୍ ସରକାର ପତନ ପରେ ଗଠିତ ମଧ୍ୟବର୍ତ୍ତୀକାଳୀନ ପ୍ରଶାସନକୁ ବଦଳାଇ ନୂତନ ସରକାର ଚୟନ ପାଇଁ ଏହି ନିର୍ବାଚନ ହୋଇଥିଲା।
କିନ୍ତୁ ଆୱାମୀ ଲିଗ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁମତି ନମିଳିବାରୁ ଲକ୍ଷାଧିକ ସମର୍ଥକ ମତାଧିକାରରୁ ବଞ୍ଚିତ ହୋଇଥିବା ହସିନା ଦାବି କରିଛନ୍ତି।ସେ ଲୋକଙ୍କ ମତଦାନ ଅଧିକାର ପୁନଃସ୍ଥାପନ ପାଇଁ ଏକ ନିରପେକ୍ଷ ତତ୍ତ୍ୱାବଧାରକ ସରକାର ଅଧୀନରେ ନୂତନ ଓ ମୁକ୍ତ ନିର୍ବାଚନ କରିବାକୁ ଆହ୍ୱାନ କରିଛନ୍ତି।

