ନ୍ୟୁଜ ଡେକ୍ସ : ବାଂଲାଦେଶର ସାଧାରଣ ନିର୍ବାଚନ ପରେ ଦକ୍ଷିଣ ଏସିଆର ରାଜନୈତିକ ମଞ୍ଚରେ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି ଭାରତ ସହିତ ବାଂଲାଦେଶର ସମ୍ପର୍କ କେଉଁ ଦିଗକୁ ଯିବ? ନିର୍ବାଚନରେ ବିଜୟୀ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ଏବଂ ତାଙ୍କ ନେତା ତାରିକ ରେହମାନ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବାରୁ ଏହି ପ୍ରଶ୍ନ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି।ତାରିକ ରେହମାନ ହେଲେ ବାଂଲାଦେଶର ଦୁଇଥର ପ୍ରଧାନମନ୍ତ୍ରୀ ଥିବା ଖାଲିଦା ଜିଆଙ୍କ ପୁଅ।
ଖାଲିଦା ଜିଆ ୧୯୯୧–୯୬ ଏବଂ ୨୦୦୧–୨୦୦୬ ମଧ୍ୟରେ ଶାସନ କରିଥିଲେ। ସେ ସମୟରେ ତାଙ୍କ ସରକାରର ଧାରା ବାଂଲାଦେଶୀ ଜାତୀୟତା ଓ ଇସଲାମିକ ପରିଚୟ ଉପରେ ଆଧାରିତ ଥିଲା, ଯାହା ପାକିସ୍ତାନ ପ୍ରତି ନରମ ଓ ଭାରତ ପ୍ରତି ସମୟେ ସମୟେ କଠୋର ଥିଲା। ସେ ଏହା ମଧ୍ୟ ଭାବୁଥିଲେ ଯେ ଭାରତ, ଶେଖ ହାସିନାଙ୍କ ସହ ଅଧିକ ଘନିଷ୍ଠ ଭାବରେ ଠିଆ ହୋଇଥିଲା। ଏହି ପୃଷ୍ଠଭୂମି ଦେଖି ଅନେକଙ୍କ ମନରେ ସନ୍ଦେହ ଥିଲା ତାରିକ ରେହମାନ ମଧ୍ୟ କି ତାଙ୍କ ମାଆଙ୍କ ନୀତିକୁ ଅନୁସରଣ କରି ଭାରତ ସହିତ ଦୂରତା ବଢ଼ାଇବେ? କିନ୍ତୁ ବର୍ତ୍ତମାନର ବାଂଲାଦେଶ ପୂର୍ବପରି ନୁହେଁ। ଏହା ଏକ ଯୁବ ଦେଶ, ଯେଉଁଠାରେ ଯୁବପିଢ଼ି ଚାକିରି, ବ୍ୟବସାୟ, ବିଦେଶୀ ନିବେଶ ଓ ଆଞ୍ଚଳିକ ସ୍ଥିରତାକୁ ଅଧିକ ମହତ୍ତ୍ୱ ଦେଉଛନ୍ତି।
ଭାରତ ସହ ଭଲ ସମ୍ପର୍କ ନ ରଖିଲେ, ଏହି ଆକାଂକ୍ଷାଗୁଡ଼ିକ ପୂରଣ ହେବା କଠିନ।ଦକ୍ଷିଣ ଏସୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଧନଞ୍ଜୟ ତ୍ରିପାଠିଙ୍କ ମତାନୁସାରେ, ଏଥର BNP ସମ୍ପୂର୍ଣ୍ଣ ବହୁମତ ସହିତ ସରକାର ଗଠନ କରିଛି। ପୂର୍ବରୁ ଖାଲିଦା ଜିଆଙ୍କ ସମୟରେ ସରକାର ମିଳିତ ଥିଲା ଏବଂ ଜମାତ-ଏ-ଇସଲାମି ପରି ଦଳଙ୍କ ସମର୍ଥନ ଉପରେ ନିର୍ଭର କରୁଥିଲା, ଯାହାର ଭାରତ ବିରୋଧୀ ଧାରା ପରିଚିତ। ଏଥର ସେପରି କୌଣସି ରାଜନୈତିକ ଚାପ ନଥିବାରୁ, ତାରିକ ରେହମାନ ଅଧିକ ସ୍ୱାଧୀନ ଓ ବ୍ୟବହାରିକ ବିଦେଶନୀତି ଗଢ଼ିପାରିବେ।ଏହାର ସଙ୍କେତ ଆଗରୁ ମଧ୍ୟ ମିଳିଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାରିକ ରେହମାନଙ୍କୁ ତାଙ୍କ ନିର୍ବାଚନ ବିଜୟ ପାଇଁ ଅଭିନନ୍ଦନ ଜଣାଇଥିବା ବେଳେ, ତାରିକଙ୍କ ସକାରାତ୍ମକ ପ୍ରତିକ୍ରିୟା ମଧ୍ୟ ଦୁଇ ଦେଶ ମଧ୍ୟରେ ନୂଆ ସମ୍ପର୍କର ସଙ୍କେତ ଦେଇଛି।
ଗତ ଦେଢ଼ ବର୍ଷ ଧରି ଭାରତ–ବାଂଲାଦେଶ ସମ୍ପର୍କରେ ଯେ ଉତ୍ତେଜନା ଦେଖାଯାଉଥିଲା, ତାହା ଏବେ ଧୀରେ ଧୀରେ ଶାନ୍ତ ହେବ ବୋଲି ଆଶା। ଏକ ନୂତନ ବାଂଲାଦେଶ ଯୁବମୁଖୀ, ଉନ୍ନତିମୁଖୀ ଓ ଆଞ୍ଚଳିକ ସହଯୋଗ ପ୍ରତି ଆଗ୍ରହୀ ଭାରତ ସହ ଅଧିକ ଘନିଷ୍ଠ ସମ୍ପର୍କ ଗଢ଼ିବାକୁ ଚାହୁଁଛି। ତାରିକ ରେହମାନଙ୍କ ନେତୃତ୍ୱରେ, ଏହି ନୂଆ ଅଧ୍ୟାୟ ଦୁଇ ଦେଶ ପାଇଁ ସ୍ଥିରତା, ବାଣିଜ୍ୟ ଓ ସୁରକ୍ଷାର ନୂଆ ସମ୍ଭାବନା ଖୋଲିଦେଇପାରେ।

