Sat. Feb 21st, 2026

ନ୍ୟୁଜ ଡେକ୍ସ : ଭାରତର ସର୍ବୋଚ୍ଚ ଚିକିତ୍ସା ସଂସ୍ଥା ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ (AIIMS), ନୂଆଦିଲ୍ଲୀ ଏବେ ମୁହଁ ପ୍ରତିରୋପଣ (Face Transplant) ଭଳି ଅତ୍ୟାଧୁନିକ ଓ ଜଟିଳ ସର୍ଜରୀ ଆରମ୍ଭ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହା ଏସିଡ୍ ଆଟାକ୍, ଗୁରୁତର ଜଳିଯାଇଥିବା ଏବଂ ଦୁର୍ଘଟଣାରେ ମୁହଁ ବିକୃତ ହୋଇଥିବା ହଜାର ହଜାର ରୋଗୀଙ୍କ ପାଇଁ ଏକ ନୂଆ ଜୀବନର ଆଶା ନେଇଆସିଛି।

AIIMSର ବର୍ନ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ‘ଫେସ୍ ଟ୍ରାନ୍ସପ୍ଲାଣ୍ଟ’ ସୁବିଧା ଆରମ୍ଭ କରିବା ପାଇଁ ଡାକ୍ତରମାନଙ୍କୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶିକ୍ଷଣ ଦେଇସାରିଛି। ଏହି ଜଟିଳ ସର୍ଜରୀ ପାଇଁ ପାଞ୍ଚ ଦିନିଆ ଏକ ଅନ୍ତର୍ଜାତୀୟ ଟ୍ରେନିଂ ଓ କାଡାଭେରିକ୍ (ମୃତଦେହ ଉପରେ) କର୍ମଶାଳା ଆୟୋଜନ କରାଯାଇଥିଲା, ଯାହାରେ ଭାରତୀୟ ଓ ବିଦେଶୀ ବିଶେଷଜ୍ଞ ଡାକ୍ତରମାନେ ଭାଗ ନେଇଥିଲେ।ଏନେଇ AIIMSର ବର୍ନ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ଅଧ୍ୟକ୍ଷ ଡା. ମନୀଷ ସିଂଘଲ କହିଛନ୍ତି ଯେ, ଫେସ୍ ଟ୍ରାନ୍ସପ୍ଲାଣ୍ଟ ପାଇଁ ସମସ୍ତ ବୈଷୟିକ, ଚିକିତ୍ସା ଓ ବହୁ-ବିଭାଗୀୟ ପ୍ରସ୍ତୁତି ସମାପ୍ତ ହୋଇଛି। ଏବେ କେବଳ ସରକାରୀ ଲାଇସେନ୍ସ ଓ ଆଇନଗତ ଅନୁମତି ପ୍ରକ୍ରିୟା ଚାଲିଛି। ସବୁ କିଛି ଠିକ୍ ରହିଲେ, ଆସନ୍ତା ଏକ ବର୍ଷ ମଧ୍ୟରେ ଦିଲ୍ଲୀ AIIMSରେ ଏହି ସର୍ଜରୀ ଆରମ୍ଭ ହୋଇଯିବ।

AIIMSରେ ପ୍ରତିବର୍ଷ ପ୍ରାୟ ୩୦ ଜଣ ଏସିଡ୍ ଆକ୍ରମଣ ପୀଡ଼ିତା ଓ ୨,୦୦୦ରୁ ଅଧିକ ବର୍ନ (ଜଳିଯାଇଥିବା) ରୋଗୀ ଚିକିତ୍ସା ପାଇଁ ଆସନ୍ତି। ଫେସ୍ ଟ୍ରାନ୍ସପ୍ଲାଣ୍ଟ ସେହି ସମସ୍ତ ଲୋକଙ୍କ ପାଇଁ ବରଦାନ ସଦୃଶ ହେବ, ଯାହାଙ୍କ ମୁହଁ ଏସିଡ୍ ଆଟାକ୍, ଇଲେକ୍ଟ୍ରିକ୍ ବର୍ନ, ଗନସଟ୍ କିମ୍ବା ଦୁର୍ଘଟଣାରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହି ସର୍ଜରୀ ମାଧ୍ୟମରେ ସେମାନେ ପୁଣିଥରେ ସାଧାରଣ ଜୀବନ, ସାମାଜିକ ଗୌରବ ଓ ଆତ୍ମବିଶ୍ୱାସ ଫେରାଇ ପାରିବେ।

ଡା. ସିଂଘଲଙ୍କ ଅନୁସାରେ, ସାରା ବିଶ୍ୱରେ ଏପର୍ଯ୍ୟନ୍ତ ପ୍ରାୟ ୮୦ଟି ଫେସ୍ ଟ୍ରାନ୍ସପ୍ଲାଣ୍ଟ ସଫଳତାର ସହ କରାଯାଇଛି। ସବୁଠୁ ଅଧିକ ଏହି ସର୍ଜରୀ ଆମେରିକାରେ ହୋଇଥିବାବେଳେ, ଏସିଆରେ ଚୀନ ଓ ତୁର୍କୀରେ ଏମିତି ଚେହେରା ପ୍ରତ୍ୟାରୋପଣ ହୋଇଛି। ଭାରତରେ ଏପର୍ଯ୍ୟନ୍ତ ଏହି ପ୍ରକାର ସର୍ଜରୀ ହୋଇନଥିଲା, କିନ୍ତୁ AIIMSର ଏହି ପଦକ୍ଷେପ ଭାରତକୁ ଏହି ଅତ୍ୟାଧୁନିକ ଚିକିତ୍ସା କ୍ଷେତ୍ରରେ ଏକ ନୂଆ ଐତିହାସିକ ସ୍ଥାନରେ ପହଞ୍ଚାଇବ।

Leave a Reply

Your email address will not be published. Required fields are marked *