ନ୍ୟୁଜ ଡେକ୍ସ : ସ୍ମାର୍ଟସିଟି ପାଣ୍ଠିରେ ଶହେ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ରାଉରକେଲାର ପ୍ରସିଦ୍ଧ କ୍ରୀଡ଼ା ପରିକଳ୍ପନା ଏବେ ଗୁରୁତର ବିବାଦରେ ପଡ଼ିଛି। ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମ୍ ସହିତ ସଂଲଗ୍ନ ବହୁତଳ କାର୍ ପାର୍କିଂ ଓ ସୁଇମିଂ ପୁଲ୍ ପ୍ରକଳ୍ପ ପାଇଁ ପ୍ରାୟ ୧୫୭.୨୧ କୋଟି ଟଙ୍କା ବ୍ୟୟ ହୋଇଥିଲା। ୯୦୦୦ ଦର୍ଶକ ବସିବା କ୍ଷମତା ବିଶିଷ୍ଟ ଫୁଟବଲ୍ ଷ୍ଟାଡିୟମ, ୧୮୧ଟି କାର୍ ରଖିବା ସୁବିଧା ସହ ବହୁତଳ ପାର୍କିଂ ଓ ଅତ୍ୟାଧୁନିକ ସୁଇମିଂ ପୁଲ୍ ୨୦୨୩ ମାର୍ଚ୍ଚରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା।
କିନ୍ତୁ ଉଦଘାଟନ ପରେ ମଧ୍ୟ ଜିଲ୍ଲା ପ୍ରଶାସନ ବହୁତଳ କାର୍ପାର୍କିଂକୁ ସାଧାରଣ ଲୋକ ଓ କ୍ରୀଡ଼ାପ୍ରେମୀଙ୍କ ପାଇଁ କାର୍ଯ୍ୟକ୍ଷମ କରିପାରିଲାନି। ଦେଢ଼ ବର୍ଷରୁ ଅଧିକ ସମୟ ଧରି ଏହା ପଡ଼ିରହିବା ପରେ ହଠାତ୍ ଏହାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ଘରୋଇ ସଂସ୍ଥାଙ୍କୁ ଟେଣ୍ଡର ମାଧ୍ୟମରେ ଦେଇଦିଆଯାଇଛି। ଏଥିପାଇଁ ପ୍ରାୟ ୩ କୋଟି ୮୦ ଲକ୍ଷ ଟଙ୍କା ସିକ୍ୟୁରିଟି ଡିପୋଜିଟ ଦିଆଯାଇଥିବା ଓ ଏହାରେ କିଛି ରାଜନୈତିକ ନେତାଙ୍କ ଭୂମିକା ଥିବା ଅଭିଯୋଗ ଉଠିଛି। ପ୍ରଥମେ ଏକ ବିଜେପି ନେତାଙ୍କ ନାମ ସାମ୍ନାକୁ ଆସିଥିଲେ ମଧ୍ୟ, ପରେ ପ୍ରତିବାଦ ଭୟରେ ଦୁଇଜଣ ବିଜେଡି ନେତାଙ୍କୁ ମଧ୍ୟ ବ୍ୟବସାୟରେ ସାମିଲ କରାଯାଇଥିବା କଥା ଚର୍ଚ୍ଚା ହେଉଛି। ଏହି ପ୍ରକଳ୍ପର ଅସଲ ଉଦ୍ଦେଶ୍ୟ ଥିଲା ଷ୍ଟାଡିୟମ୍କୁ ଆସୁଥିବା ଦର୍ଶକ ଓ ସହରବାସୀଙ୍କ ପାଇଁ ଗାଡ଼ି ପାର୍କିଂ ସୁବିଧା ଦେବା। କିନ୍ତୁ ବର୍ତ୍ତମାନ ବେସ୍ମେଣ୍ଟ ଛାଡ଼ି ଅନ୍ୟ ସମସ୍ତ ମହଲାର ପାର୍କିଂ ବ୍ୟବସ୍ଥାକୁ ଧ୍ଵଂସ କରାଯାଇ ହୋଟେଲ ଓ ବିବାହ ମଣ୍ଡପ ତିଆରି କରାଯାଉଛି। ଗ୍ରାଉଣ୍ଡ ଫ୍ଲୋର ଓ ପ୍ରଥମ ମହଲାକୁ ଭାଙ୍ଗି ନିର୍ମାଣ ହେଉଥିବାବେଳେ, ଦ୍ୱିତୀୟ ମହଲାରେ ୭୨ କୋଠରି ବିଶିଷ୍ଟ ଷ୍ଟାର ହୋଟେଲ ଓ ତୃତୀୟ ମହଲାରେ ପ୍ରାୟ ଦୁଇ ହଜାର ଲୋକ ବସିପାରିବା ଅତ୍ୟାଧୁନିକ ବିବାହ ମଣ୍ଡପ ତିଆରି ହେଉଛି।
ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଲାଗିଥିବା ଲକ୍ଷଲକ୍ଷ ଟଙ୍କାର କାଚକୁ ଭାଙ୍ଗି ଫିଙ୍ଗି ଦିଆଯାଇଥିବା ମଧ୍ୟ ଲୋକଙ୍କୁ ଆଶ୍ଚର୍ୟଚକିତ କରିଛି।ସ୍ମାର୍ଟସିଟି ବୋର୍ଡର ନିଷ୍ପତ୍ତି ଅନୁଯାୟୀ ବେସ୍ମେଣ୍ଟ, ଗ୍ରାଉଣ୍ଡ ଓ ପ୍ରଥମ ମହଲା ପାର୍କିଂ ପାଇଁ ରଖାଯାଇଥିବାବେଳେ କେବଳ ଦ୍ୱିତୀୟ ଓ ତୃତୀୟ ମହଲାକୁ ବ୍ୟବସାୟିକ କାର୍ଯ୍ୟରେ ବ୍ୟବହାର କରିବା କଥା ଥିଲା। କିନ୍ତୁ ଏହାକୁ ଅଣଦେଖା କରି ସମଗ୍ର ଢାଞ୍ଚାକୁ ବ୍ୟବସାୟିକ ହୋଟେଲ ଓ ବିବାହ ମଣ୍ଡପରେ ପରିଣତ କରାଯାଉଥିବା ଅଭିଯୋଗ ହେଉଛି। ଏହି ନିଷ୍ପତ୍ତିକୁ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଜିଲ୍ଲା କଂଗ୍ରେସ ସଭାପତି ସବିର ହୁସେନ କହିଛନ୍ତି ଯେ, ଏହି ସଂପତ୍ତି ସହରବାସୀ ଓ କ୍ରୀଡ଼ାପ୍ରେମୀଙ୍କ କାମରେ ଲାଗିବା ଦରକାର, ବେପାରୀଙ୍କ ହାତକୁ ଟେକିଦିଆଯିବା ଅନୁଚିତ। ଦରକାର ପଡ଼ିଲେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି କହିଛନ୍ତି ଯେ, ସରକାର ଚାହିଲେ ଏହାକୁ ଛାତ୍ରାବାସ କିମ୍ବା ଅନ୍ୟ ଜନହିତକର କାମରେ ବ୍ୟବହାର କରିପାରିଥାନ୍ତା, ହୋଟେଲ କରିବା ଠିକ୍ ନୁହେଁ। ଜିଲ୍ଲା ବିଜେଡି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ ମଧ୍ୟ ଏହି ନିଷ୍ପତ୍ତିକୁ ଭୁଲ୍ ବୋଲି କହି ପୁନଃବିଚାର ଦାବି କରିଛନ୍ତି।ସ୍ମାର୍ଟସିଟିର ସିଇଓ ଓ ରାଉରକେଲା ମ୍ୟୁନିସିପାଲ କର୍ପୋରେସନ କମିଶନର ଦୀନା ଦସ୍ତଗୀର କହିଛନ୍ତି ଯେ, ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ ରାଜସ୍ବ ଆବଶ୍ୟକ ଥିବାରୁ ସ୍ମାର୍ଟସିଟି ବୋର୍ଡର ଅନୁମତିରେ ଟେଣ୍ଡର ପ୍ରକ୍ରିୟାରେ ଏହାକୁ ଘରୋଇ ସଂସ୍ଥାକୁ ଦିଆଯାଇଛି।
ମ୍ୟାଚ୍ ହେବା ଦିନ ବେସ୍ମେଣ୍ଟରେ ପାର୍କିଂ ସୁବିଧା ଦିଆଯିବ ବୋଲି ଚୁକ୍ତିନାମାରେ ସର୍ତ୍ତ ରହିଛି। ତଥାପି ସ୍ମାର୍ଟସିଟି ପାଣ୍ଠିରେ ତିଆରି ଏହି ଜନସମ୍ପତ୍ତି କେମିତି ଓ କାହା ଚାପରେ ବ୍ୟବସାୟିକ ହାତକୁ ଯାଇଗଲା, ତାହାର ସ୍ୱାଧୀନ ତଦନ୍ତ ଦାବି ଏବେ ସହରରେ ଜୋର ଧରିଛି। କିଛି ସାମାଜିକ ସଂଗଠନ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା କରିବାକୁ ମଧ୍ୟ ଚେତାବନୀ ଦେଇଥିବାରୁ ଏହି ବିବାଦ ଆସନ୍ତା ଦିନରେ ଆଉ ତୀବ୍ର ହେବାର ସମ୍ଭାବନା ରହିଛି।

