ନ୍ୟୁଜ ଡେକ୍ସ : ଆସନ୍ତା ମାର୍ଚ୍ଚ ୮, ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ରାଜ୍ୟ ସରକାର ସୁଭଦ୍ରା ଯୋଜନାର ୪ର୍ଥ କିସ୍ତି ଟଙ୍କା ପ୍ରଦାନ କରିବେ। ଏହି ଦିନ ଯୋଗ୍ୟ ହିତାଧିକାରୀ ମହିଳାମାନଙ୍କ ବ୍ୟାଙ୍କ ଖାତାକୁ ୫ ହଜାର ଟଙ୍କା ହସ୍ତାନ୍ତର କରାଯିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇ କହିଛନ୍ତି ଯେ ୧ କୋଟିରୁ ଅଧିକ ମହିଳାଙ୍କୁ ଏହି କିସ୍ତି ମିଳିବ ଏବଂ ମୋଟ ୫ ହଜାର କୋଟି ଟଙ୍କା ବଣ୍ଟନ ହେବ।
ସୁଭଦ୍ରା ଯୋଜନା ଅନ୍ତର୍ଗତ ଏହା ପୂର୍ବରୁ ହିତାଧିକାରୀମାନେ ୩ଟି କିସ୍ତିରେ ମୋଟ ୧୫ ହଜାର ଟଙ୍କା ସହାୟତା ରାଶି ପାଇସାରିଛନ୍ତି। ଏହି ଯୋଜନାରେ ପ୍ରତିବର୍ଷ ଦୁଇଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ମୋଟ ୧୦ ହଜାର ଟଙ୍କା ଦିଆଯାଉଛି।୨୦୨୬ ଜାନୁଆରୀ ୨୨ ତାରିଖରେ ନୂଆ ହିତାଧିକାରୀ ଓ ପୂର୍ବରୁ ବାଦ୍ ପଡ଼ିଥିବା ହିତାଧିକାରୀମାନଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ଦିଆଯାଇଥିଲା। ସେଥିରେ ମୋଟ ୪ ଲକ୍ଷ ୫୭ ହଜାର ୬୮୧ ମହିଳା ସାମିଲ ଥିଲେ।
ଏଥିରେ ନୂଆ ପଞ୍ଜୀକରଣ କରିଥିବା ୧ ଲକ୍ଷ ୭୮ ହଜାର ୩୯୮ ଜଣ ମହିଳା ଓ ତୃତୀୟ କିସ୍ତି ପାଇଥିଲେ ବି ବୈଷୟିକ ସମସ୍ୟାରେ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ୍ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣ ମହିଳାଙ୍କୁ ସାମିଲ କରାଯାଇଥିଲା। ସରକାର କହିଛନ୍ତି ଯେ ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଏବଂ ସ୍ୱାବଲମ୍ବୀ କରିବା ହିଁ ପ୍ରମୁଖ ଲକ୍ଷ୍ୟ।

