ନ୍ୟୁଜ ଡେକ୍ସ : ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗ ଘଟଣା ମଧ୍ୟରେ ଏକ ନବଜାତ ଶିଶୁକନ୍ୟାର ଉଦ୍ଧାର ସମଗ୍ର ଅଞ୍ଚଳରେ ଭୟଙ୍କର ଚାଞ୍ଚଲ୍ୟ ସୃଷ୍ଟି କରିଛି। ଯାଜପୁର ଜିଲ୍ଲାର ବ୍ୟାସନଗର ଅଞ୍ଚଳରେ ୭୦ ବର୍ଷୀୟ ଅଭିଯୁକ୍ତଙ୍କ ଘର ନିକଟରୁ ଏହି ନବଜାତ ଶିଶୁକନ୍ୟାକୁ ସ୍ଥାନୀୟ ଲୋକ ଓ ପୋଲିସର ସହଯୋଗରେ ଉଦ୍ଧାର କରାଯାଇଛି।ଉଦ୍ଧାର ପରେ ଶିଶୁକନ୍ୟାକୁ ଯାଜପୁର ରୋଡ୍ ମେଡିକାଲରେ ଭର୍ତ୍ତି କରାଯାଇଛି।
ସପ୍ତାହେ ମଧ୍ୟରେ ଶିଶୁର ଜନ୍ମ ହୋଇଥିବା ଅନୁମାନ କରାଯାଉଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଓ ସୁସ୍ଥ ରହିଛି।ତେବେ ଏହି ନବଜାତ ଶିଶୁକନ୍ୟାଟି ଉକ୍ତ ନାବାଳିକାଙ୍କର କି ନୁହେଁ, ନା କି ଏହା କୌଣସି ଷଡ଼ଯନ୍ତ୍ରର ଅଂଶ ଏହି ପ୍ରଶ୍ନ ଏବେ ଉଠିଛି। ପୋଲିସ ଏହି ଦିଗରେ ଗଭୀର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, କିଛି ଦିନ ପୂର୍ବେ ନାବାଳିକା ବ୍ୟାସନଗରର ଏକ ୭୦ ବର୍ଷୀୟ ବୃଦ୍ଧଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ତାହା ସହ ନାବାଳିକାଙ୍କୁ ଗର୍ଭପାତ କରାଯାଇଥିବା ନେଇ ୨ ଦିନ ତଳେ ଅଭିଯୋଗ ହୋଇଥିଲା।
ଏହି ମାମଲାରେ ଗତକାଲି ଯାଜପୁର ରୋଡ୍ ଥାନା ପୋଲିସ ଅଭିଯୁକ୍ତ ବୃଦ୍ଧଙ୍କୁ ଗିରଫ କରିଥିବା ବେଳେ, ଗର୍ଭପାତ ଅଭିଯୋଗରେ ଏକ ଘରୋଇ ହସ୍ପିଟାଲର ଏମ୍ଡିଙ୍କୁ ମଧ୍ୟ ଗିରଫ କରାଯାଇଛି।ଏହି ଘଟଣା ସମ୍ପୂର୍ଣ୍ଣ ମାମଲାକୁ ଆଉ ଜଟିଳ କରିଦେଇଥିବା ବେଳେ, ନବଜାତ ଶିଶୁକନ୍ୟାର ପରିଚୟ ଓ ମାମଲାର ସତ୍ୟତା ନେଇ ପୋଲିସ ତଦନ୍ତ ଜାରି ରହିଛି।

