Sat. Feb 21st, 2026

ନ୍ୟୁଜ ଡେକ୍ସ : ରାଜଧାନୀ ଭୁବନେଶ୍ୱରରେ ବୁଲାକୁକୁରଙ୍କ ଆତଙ୍କ ଦିନକୁ ଦିନ ବଢ଼ିଚାଲିଛି। ରାତିରେ ଘରକୁ ଫେରୁଥିବା ଲୋକମାନଙ୍କୁ ହଠାତ୍ କୁକୁରମାନେ ଗୋଡ଼ାଇ କାମୁଡ଼ୁଥିବା ଘଟଣା ସାଧାରଣ ହୋଇଯାଇଛି। ଦେବେଳେ ବେଳେ ରାସ୍ତାରେ ଶୋଇଥିବା କୁକୁରମାନେ ହଠାତ୍ ଉଠି ଗାଡ଼ିଚାଳକଙ୍କୁ ଗୋଡ଼ାଇବାରୁ ଦୁର୍ଘଟଣା ହେଉଥିବା ଅଭିଯୋଗ ମଧ୍ୟ ଆସୁଛି।

ଅସାମାଜିକଙ୍କ ଆତଙ୍କକୁ ଟପି ଯାଇଛି କୁକୁର ଆତଙ୍କ ବୋଲି ନାଗରିକମାନେ କହୁଛନ୍ତି।ସୁପ୍ରିମକୋର୍ଟଙ୍କ ଆଦେଶ ଥିବା ସତ୍ତ୍ୱେ ବୁଲାକୁକୁରଙ୍କୁ ଖାଦ୍ୟ ଦେଉଥିବା ଲୋକଙ୍କ ଉପରେ କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ରହିଛି। ସେହିପରି ବନ୍ଧ୍ୟାକରଣ ଓ ଆଣ୍ଟିରାବିଜ୍ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଅତ୍ୟନ୍ତ ମାନ୍ଦାରେ ଚାଲିଛି। ବୁଲାକୁକୁର ଆତଙ୍କ ନିୟନ୍ତ୍ରଣ ପାଇଁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଗତ ବର୍ଷ ମେ ମାସରୁ ହାଇଦ୍ରାବାଦ ଭିତ୍ତିକ Vets Society for Animal Welfare and Rural Development ସହ ଚୁକ୍ତି କରାଯାଇଛି। ଏହି ଚୁକ୍ତି ଅନୁସାରେ ପ୍ରତିମାସ ୨ହଜାର ବୁଲାକୁକୁରଙ୍କ ବନ୍ଧ୍ୟାକରଣ ଓ ୩ ବର୍ଷରେ ୭୦ହଜାର କୁକୁରଙ୍କ ବନ୍ଧ୍ୟାକରଣ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା।

ଗୋଟିଏ କୁକୁର ପାଇଁ ୧୬୫୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏଥିରେ ପରିବହନ, ଅସ୍ତ୍ରୋପଚାର, ଖାଦ୍ୟ ଓ ଔଷଧ ଖର୍ଚ୍ଚ ସାମିଲ ରହିଛି। ମଞ୍ଚେଶ୍ୱର ସହ ଅନ୍ୟାନ୍ୟ ସ୍ଥାନରେ ଏହି କାର୍ଯ୍ୟ ପାଇଁ ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ କରାଯାଇଛି।ସମ୍ପ୍ରତି ବିଏମ୍ସି କରାଯାଇଥିବା କୁକୁର ଗଣନାରେ ପୂର୍ବରୁ ଆକଳନ ହୋଇଥିବା ୭୦ହଜାର ପରିବର୍ତ୍ତେ ଏବେ ବୁଲାକୁକୁର ସଂଖ୍ୟା ୪୭ହଜାର ବୋଲି ଜଣାପଡ଼ିଛି। କିନ୍ତୁ ଏହି ଅନୁସାରେ ପ୍ରତିମାସ ପ୍ରାୟ ୧୩୦୦ କୁକୁରଙ୍କ ବନ୍ଧ୍ୟାକରଣ ହେବା ଦରକାର ଥିଲେ ମଧ୍ୟ ବର୍ତ୍ତମାନ ସେହି ସଂଖ୍ୟା ୫ଶହକୁ ମଧ୍ୟ ଛୁଇଁ ପାରୁନାହିଁ। ସବୁଠାରୁ ମାନ୍ଦାରେ ଚାଲିଛି ଆଣ୍ଟିରାବିଜ୍ ଟିକାକରଣ।

ଏହାର ପରିଣାମରେ ରାଜଧାନୀରେ ପ୍ରତିମାସ ୧୦୦ରୁ ୨୫୦ ପର୍ଯ୍ୟନ୍ତ କୁକୁର କାମୁଡ଼ା ରୋଗୀ ଡାକ୍ତରଖାନାକୁ ଆସୁଛନ୍ତି। ୬୫ ନମ୍ବର ୱାର୍ଡ ଉଦୟଗିରିବିହାରର ବରିଷ୍ଠ ନାଗରିକ ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ ରାତିରେ ଘରକୁ ଫେରିବା ବେଳେ ଗାଡ଼ି, ସାଇକେଲ କିମ୍ବା ପାଦଚାଲି ଯାଉଥିବା ସମୟରେ କୁକୁରମାନେ ହଠାତ୍ ଗୋଡ଼ାଇ ଆସି କାମୁଡ଼ୁଛନ୍ତି, ଯାହାରୁ ଲୋକେ ଭୟଭୀତ।ଏନେଇ ବିଏମ୍ସି ଡେପୁଟି କମିସନର (ଏବିସି) ଅଶୋକ କୁମାର ଦାସ କହିଛନ୍ତି ଯେ ବନ୍ଧ୍ୟାକରଣ ଓ ଟିକାକରଣ କାର୍ଯ୍ୟ ନିୟମିତ ଚାଲିଛି ଏବଂ ଯେଉଁଅଞ୍ଚଳରୁ କୁକୁର କାମୁଡ଼ା ଅଭିଯୋଗ ଆସୁଛି, ସେଠାରେ ତତ୍କାଳ ପଦକ୍ଷେପ ନିଆଯାଉଛି।

Leave a Reply

Your email address will not be published. Required fields are marked *