ନ୍ୟୁଜ ଡେକ୍ସ : ରାଜଧାନୀ ଭୁବନେଶ୍ୱରରେ ଆର୍ଥିକ ଅଚଳାବସ୍ଥା ମଧ୍ୟରେ ଗତି କରୁଛି ଭୁବନେଶ୍ୱର ମୁନିସିପାଲ କର୍ପୋରେସନ। ଟଙ୍କା ଅଭାବରୁ ପ୍ରାୟ ଦୁଇ ବର୍ଷ ଧରି ସହରର ବିଭିନ୍ନ ୱାର୍ଡରେ ରାସ୍ତା, ନାଳ, ପାର୍କ ଭଳି ମୌଳିକ ସୁବିଧା ସଠିକ୍ ଭାବେ ସଜାଡ଼ାଯାଇ ପାରୁନାହିଁ। ଏହି ସମୟରେ ବିଏମ୍ସି ପାଖରେ ବିଜ୍ଞାପନ ଏଜେନ୍ସିମାନଙ୍କଠାରୁ ୨୨ କୋଟି ଟଙ୍କାରୁ ଅଧିକ ବକେୟା ରହିଥିବା ଜଣାପଡ଼ିଛି।
ବିଏମ୍ସି ଦ୍ୱାରା ଦିଆଯାଇଥିବା ଟେଣ୍ଡର ଅନୁସାରେ କେଉଁ ଅଞ୍ଚଳରେ କେଉଁ ଏଜେନ୍ସି କେତେ ବିଜ୍ଞାପନ ହୋର୍ଡିଂ ଲଗାଇବ, ସେଥିରେ ଲାଇସେନ୍ସ ଫି ଓ ବିଜ୍ଞାପନ ଫି ଦେବା ନିୟମ ରହିଛି। ଏହାର ଜିଆଇଏସ୍ ସର୍ଭେ ପାଇଁ Cyber Swift କୁ ଦାୟିତ୍ୱ ଦିଆଯାଇଥିଲା। ଏହି ସର୍ଭେ ଅନୁସାରେ ୨୦୨୩ ରୁ ୨୦୨୫ ମଧ୍ୟରେ ୧୨ରୁ ଅଧିକ ବିଜ୍ଞାପନ ଏଜେନ୍ସି ୨୨ କୋଟିରୁ ଅଧିକ ଟଙ୍କା ଜମା ନଦେଇ ରହିଛନ୍ତି।କର୍ପୋରେସନ୍ ବୈଠକରେ କର୍ପୋରେଟର୍ ନୃପେଶ କୁମାର ନାୟକ ସହ ଅନ୍ୟ ସଦସ୍ୟମାନେ ଟଙ୍କା ଅଭାବରୁ ଅଞ୍ଚଳର ବିକାଶ କାମ ଅଟକି ରହିଥିବା କଥା ଉଠାଇଥିଲେ। ଏହା ପରେ ବକେୟା ଟଙ୍କା ଯୁଦ୍ଧକାଳୀନ ଭିତ୍ତିରେ ଆଦାୟ କରିବା ଓ ଟଙ୍କା ନଦେଇଥିବା ଏଜେନ୍ସିଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବା ପ୍ରସ୍ତାବ ସର୍ବସମ୍ମତିକ୍ରମେ ଅନୁମୋଦନ ହୋଇଥିଲା। ଗତବର୍ଷ ଏପ୍ରିଲ ୯ ତାରିଖରେ ମେୟରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ମଧ୍ୟ ଏଜେନ୍ସିମାନଙ୍କଠାରୁ ବକେୟା ଟଙ୍କା ଆଦାୟ କରିବା ଓ ଟଙ୍କା ନଦେଲେ ସେମାନଙ୍କୁ କଳାତାଲିକାରେ ରଖିବାକୁ ନିଷ୍ପତ୍ତି ହୋଇଥିଲା।
କିନ୍ତୁ ୧୦ ମାସ ବିତି ଯାଇଥିଲେ ମଧ୍ୟ ଅଧିକାଂଶ ଏଜେନ୍ସି ଟଙ୍କା ଜମା ଦେଇନାହାନ୍ତି।ବିଏମ୍ସି ଡେପୁଟି କମିସନର୍ ଅଜୟ କୁମାର ମହାନ୍ତି କହିଛନ୍ତି ଯେ Cyber Swift ଦେଇଥିବା ଜିଆଇଏସ୍ ରିପୋର୍ଟ ଆଧାରରେ କେଉଁ ଏଜେନ୍ସି କେତେ ହୋର୍ଡିଂ ଲଗାଇଛି ତାହାର ସବିଶେଷ ତାଲିକା ପ୍ରସ୍ତୁତ ହୋଇଛି। ସେହି ଅନୁସାରେ ଏଜେନ୍ସିମାନଙ୍କୁ ଟଙ୍କା ଜମା ଦେବାକୁ କୁହାଯାଇଛି ଏବଂ ଯେଉଁମାନେ ଟଙ୍କା ନଦେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

