Sat. Apr 18th, 2026

ନ୍ୟୁଜ ଡେକ୍ସ : ରାଜ୍ୟର ଅନେକ ସ୍ଥାନରେ ଶୀତର ପ୍ରକୋପ କମିଥିବା ଦେଖାଯାଇଛି। ବର୍ତ୍ତମାନ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଭଳି ଜିଲ୍ଲାଗୁଡିକରେ ଶୀତ ଅନୁଭୂତ ହେଉଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ, ଆସନ୍ତା ୫ଦିନ ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଗାମୀ ଦିନରେ ଶୀତର ପ୍ରକୋପ ଆହୁରି କମିବ ବୋଲି ଅନୁମାନ କରାଯାଇଛି।

ସେପଟେ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହାର ପ୍ରଭାବରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର ପାଣିପାଗରେ ଧୀରେ ଧୀରେ ପରିବର୍ତ୍ତନ ଆସିପାରେ ବୋଲି ଆଶଙ୍କା କରାଯାଇଛି। ଏହି ପରିସ୍ଥିତିରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯାଇବାବେଳେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ରାଜ୍ୟରେ ବର୍ଷାର କୌଣସି ଭୟ ନାହିଁ ଏବଂ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ସୂଚନା ମିଳିଛି।

ଗତ ୨୪ ଘଣ୍ଟାରେ ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୭.୩ ଡିଗ୍ରୀ ସେଲସିଅସ ରେକର୍ଡ ହୋଇଥିବାବେଳେ ଫୁଲବାଣୀରେ ୧୦.୫, ଦାରିଙ୍ଗବାଡ଼ିରେ ୧୨.୫, ସେମିଳିଗୁଡ଼ାରେ ୧୦.୫, ରାଉରକେଲାରେ ୧୦.୭, ଭୁବନେଶ୍ୱରରେ ୧୬.୧ ଏବଂ କଟକରେ ୧୫.୬ ଡିଗ୍ରୀ ସେଲସିଅସ ରହିଛି।ବୁଧବାର ସକାଳେ କୋରାପୁଟ ଏବଂ ପାରାଦ୍ବୀପରେ କୁହୁଡ଼ି ଦୃଶ୍ୟମାନ ହୋଇଥିଲା। ଏହାସହିତ ଗୁରୁବାର ସକାଳେ କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *