Sun. Apr 19th, 2026

ନ୍ୟୁଜ ଡେକ୍ସ : ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି। ଏଥିରେ ରାଜ୍ୟର ଆର୍ଥିକ ପରିସ୍ଥିତି ସମ୍ପର୍କରେ ସ୍ପଷ୍ଟ ଚିତ୍ର ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ଜାତୀୟ ସ୍ତରଠାରୁ ଓଡ଼ିଶାର ମୁଣ୍ଡ ପିଛା ଆୟ ଓ ଅଭିବୃଦ୍ଧି ହାର ଉଲ୍ଲେଖନୀୟ ଭାବେ ବଢ଼ିଛି।ଜାତୀୟ ଅଭିବୃଦ୍ଧି ହାର ୩.୧ ପ୍ରତିଶତ ଥିବାବେଳେ ଓଡ଼ିଶାର ଅଭିବୃଦ୍ଧି ହାର ୫.୩ ପ୍ରତିଶତ ରହିଛି। ଜିଏସଡିପିରେ ମଧ୍ୟ ୯.୫ ପ୍ରତିଶତର ଅଭିବୃଦ୍ଧି ଦେଖାଯାଇଛି।

୯ ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି ପାଇ ରାଜ୍ୟର ଜିଏସଡିପି ୯.୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ବାସ୍ତବ ଅଭିବୃଦ୍ଧି ହାର ମଧ୍ୟ ଜାତୀୟ ହାରଠାରୁ ଆଗରେ ରହିଛି।୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବାସ୍ତବ ଆର୍ଥିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି। ଏହା ୨୦୨୪-୨୫ର ୭.୨ ପ୍ରତିଶତ ବୃଦ୍ଧି ହାରଠାରୁ ଅଧିକ ଏବଂ ସର୍ବଭାରତୀୟ ସ୍ତରର ହାରାହାରି ୭.୪ ପ୍ରତିଶତ ଠାରୁ ମଧ୍ୟ ଅଧିକ। ୨୦୨୫-୨୬ ଅଗ୍ରୀମ ଆକଳନ ଅନୁସାରେ ଓଡ଼ିଶାର ମୁଣ୍ଡପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ପାଇ ୧,୮୬,୭୬୧ ଟଙ୍କାରେ ପହଞ୍ଚିଛି।

ସର୍ବଭାରତୀୟ ସ୍ତରରେ ମୁଣ୍ଡପିଛା ଆୟ ୬.୯ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଓଡ଼ିଶା ଏଥିରେ ଆଗରେ ରହିଛି।ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ ହୋଇଛି ଯେ ରାଜ୍ୟର ଅର୍ଥ ବ୍ୟବସ୍ଥାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅବଦାନ ଜାତୀୟ ହାରଠାରୁ ଅଧିକ। ଜାତୀୟ ସ୍ତରରେ କୃଷି ଓ ସମ୍ପର୍କିତ କ୍ଷେତ୍ରର ଅବଦାନ ୧୬.୮ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୧୯.୬ ପ୍ରତିଶତ ରହିଛି। ଏହା ରାଜ୍ୟର ଆର୍ଥିକ ଭିତିକୁ ଆହୁରି ମଜବୁତ କରୁଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *