Sat. Feb 21st, 2026

ନ୍ୟୁଜ ଡେକ୍ସ : କେନ୍ଦୁଝର ଜିଲ୍ଲାର ବଡ଼ବିଲରେ ଆଜି ଭୋର୍ ପ୍ରାୟ ୪ଟା ସମୟରେ ଜଣେ ନାମୀଦାମୀ ଲୁଗା ବ୍ୟବସାୟୀଙ୍କ ଘର ଓ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ତେବେ ଅଳ୍ପେରେ ପରିବାରର ୯ ଜଣ ସଦସ୍ୟ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି।

ଅଗ୍ନିକାଣ୍ଡରେ ପୀଡ଼ିତ ବ୍ୟବସାୟୀ ହେଲେ ବଡ଼ବିଲର ପ୍ରସିଦ୍ଧ ଲୁଗା ଦୋକାନ ‘ପରିବାର କ୍ଲୋଥ ଷ୍ଟୋର’ର ମାଲିକ ରୋହତାଶ ଅଗ୍ରୱାଲ। ତାଙ୍କ ନିଜ ବାସଭବନ ବଡ଼ବିଲ ପୌରାଞ୍ଚଳର ୬ ନମ୍ବର ୱାର୍ଡରେ ମୋନୀ ଟାୱାର ସମ୍ମୁଖରେ ଅବସ୍ଥିତ। ଭୋରୁ ଘରୁ ପ୍ରବଳ ଧୂଆଁ ବାହାରୁଥିବା ଜଣେ ପଥଚାରୀ ଦେଖି ତୁରନ୍ତ ପରିବାରକୁ ସଚେତନ କରିଥିଲେ।ସେଥିପରେ ଦ୍ୱିତୀୟ ମହଲାରେ ରହୁଥିବା ପରିବାର ସଦସ୍ୟମାନେ, ଯାହାଙ୍କ ମଧ୍ୟରେ ଜଣେ ୩ ବର୍ଷର ଓ ଜଣେ ଦେଢ଼ ବର୍ଷର ଝିଅ ସମେତ ସମୁଦାୟ ୯ ଜଣ ଥିଲେ, ପ୍ରାଣବିକଳରେ ସୁରକ୍ଷିତ ରାସ୍ତା ଦେଇ ବାହାରି ଆସିଥିଲେ। ଖବର ପାଇ ସଙ୍ଗେ ସଙ୍ଗେ ବଡ଼ବିଲ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।

କିନ୍ତୁ ତତ୍କ୍ଷଣାତ୍ ନିଆଁ ତଳ ମହଲା ଓ ପ୍ରଥମ ମହଲାରେ ବ୍ୟାପି ଯାଇଥିଲା। ପରେ ବିଲେଇପଦା ଅଗ୍ନିଶମ ବିଭାଗ ଓ ଘରୋଇ ଜିନ୍ଦଲ କମ୍ପାନୀର ସହଯୋଗରେ ମୋଟ ୪ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା।ଦୀର୍ଘ ୪ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଅଗ୍ନିଶମ କର୍ମୀମାନେ ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରିବାରେ ସଫଳ ହୋଇଥିଲେ। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ବିଦ୍ୟୁତ୍ ଶର୍ଟ ସର୍କିଟ୍ ଥିବା ସନ୍ଦେହ କରାଯାଉଛି। କ୍ଷତିର ପରିମାଣ ନେଇ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *