ନ୍ୟୁଜ ଡେକ୍ସ : ଆଜି ପ୍ରସ୍ତୁତ ହେବ ଓଡ଼ିଶା ବଜେଟ୍ ୨୦୨୬। ରାଜ୍ୟର ହିସାବ ପେଡ଼ି ଖୋଲିବେ ମୁଖ୍ୟମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ମୋହନ ଚରଣ ମାଝୀ। ଲଗାତାର ତୃତୀୟ ଥର ପାଇଁ ସେ ବଜେଟ୍ ଉପସ୍ଥାପନ କରିବେ।ଏଥର ବଜେଟ୍ ଆକାର ୩ ଲକ୍ଷ ୨୦ ହଜାର କୋଟି ଟଙ୍କା ଟପିପାରେ ବୋଲି ଅନୁମାନ କରାଯାଉଛି।
କେଉଁଠୁ ଆସିବ ରାଜସ୍ୱ ଏବଂ କେମିତି ହେବ ବ୍ୟୟବିନ୍ୟାସ—ସେଥିପାଇଁ ସମସ୍ତଙ୍କ ନଜର ବଜେଟ୍ ଉପରେ ରହିଛି। ରାଜ୍ୟର ନିଜସ୍ୱ ଆୟ, କେନ୍ଦ୍ରୀୟ ଅନୁଦାନ ଓ ଋଣ ଉପରେ ଭିତି କରି ଆର୍ଥିକ ପରିକଳ୍ପନା କରାଯିବ।ତେବେ ସଠିକ ସମୟରେ ବଜେଟ୍ ଅର୍ଥ ବ୍ୟୟ ନ ହେବା ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଅନେକ ବିଭାଗରେ ଅବ୍ୟୟିତ ଧନର ସମସ୍ୟା ଦେଖାଦେଇଛି। ସେହିପରି ରାଜ୍ୟର ଋଣଭାର ଧୀରେଧୀରେ ବଢୁଥିବାରୁ ଆର୍ଥିକ ସନ୍ତୁଳନ ରଖିବା ମୁଖ୍ୟ ଚିନ୍ତାବିଷୟ ହୋଇଛି।
ଏହି ପରିସ୍ଥିତିରେ ଏକ ସନ୍ତୁଳିତ ଓ ବିକାଶମୂଳକ ବଜେଟ୍ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ଚେଷ୍ଟା କରିବେ ବୋଲି ଆଶା କରାଯାଉଛି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପାଇପାରିକ ଢାଞ୍ଚା ଓ ଯୁବ ସଶକ୍ତିକରଣ ମାଧ୍ୟମରେ ବୃହତ୍ ଘୋଷଣା ହେବା ସମ୍ଭାବନା ରହିଛି।ଆସନ୍ତା ବର୍ଷ ପାଇଁ ରାଜ୍ୟର ଆର୍ଥିକ ଦିଗ ନିର୍ଣ୍ଣୟ କରିବାରେ ଏହି ବଜେଟ୍ ଗୁରୁତ୍ୱପୂର୍ଣ୍ଣ ହେବ। ଏବେ ସମସ୍ତଙ୍କ ଦୃଷ୍ଟି ରହିଛି ବଜେଟ୍ରେ ଆସିବାକୁ ଥିବା ସମ୍ଭାବ୍ୟ ଘୋଷଣା ଓ ନୂତନ ପଦକ୍ଷେପ ଉପରେ।

