Sat. Feb 21st, 2026

ନ୍ୟୁଜ ଡେକ୍ସ : ରାଜ୍ୟ ବଜେଟ୍‌ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନୀଳ ଅର୍ଥନୀତିକୁ ଅର୍ଥନୀତିର ଏକ ପ୍ରମୁଖ ଚାଳକ ଭାବେ ଗଢ଼ି ତୋଳିବାକୁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ୨୦୪୭ ସୁଦ୍ଧା କୃଷି ଜିଏସ୍‌ଡିପିର ୨୦ରୁ ୨୫ ପ୍ରତିଶତ ଅଂଶ ହାସଲ କରିବା ଲକ୍ଷ୍ୟ ରଖାଯାଇଛି। ଏହି ଦୃଷ୍ଟିକୋଣକୁ ସାକାର କରିବା ପାଇଁ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପାଇଁ ୨୦୨୯ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ପରିବେଶ ଅନୁକୂଳ ଜଳଚାଷକୁ ୧୦ ହଜାର ହେକ୍ଟରରୁ ଅଧିକ ଅଞ୍ଚଳରେ ସଂପ୍ରସାରିତ କରାଯିବ। ଚିଙ୍ଗୁଡ଼ି ରପ୍ତାନିକୁ ବାର୍ଷିକ ୨ ଲକ୍ଷ ଟନ୍ ବୃଦ୍ଧି କରି ୧୨ ହଜାର କୋଟି ଟଙ୍କା ଆୟ ଲକ୍ଷ୍ୟ ରଖାଯାଇଛି। ଚିଙ୍ଗୁଡ଼ି ମିଶନ ମାଧ୍ୟମରେ ନିଯୁକ୍ତି, ତାଲିମ ଓ ଉଚ୍ଚ ଆୟ ସୃଷ୍ଟି କରି ୨ ଲକ୍ଷରୁ ଅଧିକ ଚାଷୀଙ୍କୁ ଉପକୃତ କରାଯିବ। ଏଥିପାଇଁ ଜଳଚାଷ ଓ ଚିଙ୍ଗୁଡ଼ି ରପ୍ତାନି ସେଲ୍ ଗଠନ ପ୍ରସ୍ତାବ ରହିଛି।ଆଗାମୀ ୫ ବର୍ଷରେ ୧୫୦ଟି ନୂତନ ଗଭୀର ସମୁଦ୍ର ମାଛଧରା ଜାହାଜ ନିର୍ମାଣ ଓ ୫ ଶହ ଯାନ୍ତ୍ରିକ ଡଙ୍ଗାର ଉନ୍ନତୀକରଣ କରାଯିବ। ପାରାଦୀପ, ଧାମରା, ଚାନ୍ଦିପୁର ଓ ଅସ୍ତରଙ୍ଗରେ ବନ୍ଦର ଉନ୍ନତି ସହ ଆଧୁନିକ ମାଛ ବଜାର ଗଠନ ହେବ। ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ପାଇଁ ୨୦୧ କୋଟି ଟଙ୍କା ଆବଣ୍ଟନ ହୋଇଛି।

ଏହାସହ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ୨୪୫ କୋଟି ଟଙ୍କାର ପ୍ରସ୍ତାବ ରହିଛି, ଯାହା ମାଧ୍ୟମରେ ଅସ୍ତରଙ୍ଗ ମାଛଧରା ବନ୍ଦରର ଆଧୁନିକୀକରଣ ଓ ଗୋପାଳପୁରରେ ଗଭୀର ସମୁଦ୍ର ବନ୍ଦର ନିର୍ମାଣ ସମେତ ୪୦ଟି ହିତାଧିକାରୀ ଯୋଜନା କାର୍ଯ୍ୟକରିତ ହେବ।ଓଡ଼ିଶାକୁ ୨୦୪୭ ସୁଦ୍ଧା ଅଣ୍ଡା, ଦୁଗ୍ଧ ଓ ମାଂସ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟ ରଖାଯାଇଛି। ବାର୍ଷିକ ୧୭୦୦ କୋଟି ଅଣ୍ଡା, ୨୭୪ ଲକ୍ଷ ଲିଟର ଦୁଗ୍ଧ ଓ ୮ ଲକ୍ଷ ମେଟ୍ରିକ ଟନ୍ ମାଂସ ଉତ୍ପାଦନ ଲକ୍ଷ୍ୟ ଧରାଯାଇଛି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ପାଇଁ ୧୫୯ କୋଟି, ପ୍ରାଣୀ ସମୃଦ୍ଧି ଯୋଜନା ପାଇଁ ୧୮୫ କୋଟି ଓ ପଶୁ ରୋଗ ନିୟନ୍ତ୍ରଣ ପାଇଁ ଗୋମାତା ଯୋଜନାରେ ୫୭ କୋଟି ଟଙ୍କାର ପ୍ରସ୍ତାବ ରହିଛି। ଉନ୍ନତ ପ୍ରାଣୀ ଚିକିତ୍ସା ପାଇଁ ଫୁଲନଖରାରେ ୨୪ ଘଣ୍ଟିଆ ରେଫରାଲ ଚିକିତ୍ସାଳୟ ସ୍ଥାପନ ହେବ। ଏଥିରେ ଆଧୁନିକ ରୋଗ ନିର୍ଣ୍ଣୟ ସୁବିଧା ସହ ଦୈନିକ ୧୦୦ ଆନ୍ତଃଗୃହ ଓ ୩୦୦ ବହିର୍ବିଭାଗ ପ୍ରାଣୀଙ୍କୁ ସେବା ଦେବା କ୍ଷମତା ରହିବ।

ଏହି ପ୍ରକଳ୍ପ ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।ଶିକ୍ଷା ଓ ଗବେଷଣାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ମୟୂରଭଞ୍ଜରେ ନୂଆ କୃଷି ମହାବିଦ୍ୟାଳୟ ପାଇଁ ୨୦ କୋଟି ଟଙ୍କା ପ୍ରସ୍ତାବ ରହିଛି। ଚିପିଲିମାରେ ପଶୁ ଚିକିତ୍ସା ବିଜ୍ଞାନ ମହାବିଦ୍ୟାଳୟ, ବଲାଙ୍ଗୀରରେ କୃଷି ମହାବିଦ୍ୟାଳୟ ଓ ସୋନପୁରରେ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ସ୍ଥାପନ ପାଇଁ ମୋଟ ୩୦ କୋଟି ଟଙ୍କା ବ୍ୟୟବରାଦ ରହିଛି।ଅସହାୟ ପଶୁମାନଙ୍କ ପାଇଁ ଜରୁରୀକାଳୀନ ସେବା ଯୋଗାଇବାକୁ ରାଜ୍ୟର ୨୬ଟି ସ୍ଥାନରେ ଆମ୍ବୁଲାନ୍ସ ସୁବିଧା ଚାଲୁ ରହିଛି, ଯାହା ପାଇଁ ୩୩ କୋଟି ଟଙ୍କା ବରାଦ କରାଯାଇଛି।

Leave a Reply

Your email address will not be published. Required fields are marked *