ନ୍ୟୁଜ ଡେକ୍ସ : ଓଡ଼ିଶାର ୩୦ଟି ଜିଲ୍ଲା ମଧ୍ୟରୁ ୧୨ଟି ଜିଲ୍ଲାରେ ବାଲ୍ୟବିବାହ ହାର ଜାତୀୟ ହାରଠାରୁ ଅଧିକ ଥିବା ସୂଚନା ଶନିବାର ରାଜ୍ୟ ବିଧାନସଭାରେ ଦିଆଯାଇଛି। ଗୃହରେ ଏକ ପ୍ରଶ୍ନର ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ କିଛି ଜିଲ୍ଲାରେ ବାଲ୍ୟବିବାହ ହାର ଚିନ୍ତାଜନକ ଭାବରେ ଉଚ୍ଚ ରହିଛି।
ତାଙ୍କ କଥାନୁସାରେ ନବରଙ୍ଗପୁର ଜିଲ୍ଲାରେ ବାଲ୍ୟବିବାହ ହାର ୩୯.୪ ପ୍ରତିଶତ ରହିଥିବା ବେଳେ ନୟାଗଡ଼ରେ ୩୫.୭ ପ୍ରତିଶତ, କୋରାପୁଟରେ ୩୫.୫ ପ୍ରତିଶତ, ରାୟଗଡ଼ାରେ ୩୩.୨ ପ୍ରତିଶତ ଏବଂ ମାଲକାନଗିରିରେ ୩୨.୪ ପ୍ରତିଶତ ରହିଛି।ସେହିପରି ମୟୂରଭଞ୍ଜରେ ୩୧.୩ ପ୍ରତିଶତ, କେନ୍ଦୁଝରରେ ୨୯ ପ୍ରତିଶତ, ଗଜପତିରେ ୨୮.୧ ପ୍ରତିଶତ, ବାଲେଶ୍ୱରରେ ୨୬.୪ ପ୍ରତିଶତ, ବୌଦ୍ଧରେ ୨୫.୩ ପ୍ରତିଶତ ଏବଂ ଅନୁଗୁଳରେ ୨୫ ପ୍ରତିଶତ ବାଲ୍ୟବିବାହ ହାର ରେକର୍ଡ ହୋଇଛି।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବାଲ୍ୟବିବାହ ରୋକିବା ପାଇଁ ସରକାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଓ କଡ଼ା ନିରୀକ୍ଷଣ ବ୍ୟବସ୍ଥା ଗ୍ରହଣ କରୁଛନ୍ତି। ସମ୍ପୃକ୍ତ ବିଭାଗମାନଙ୍କୁ ସମନ୍ୱୟ କରି ଏହି ସମସ୍ୟା ଦୂର କରିବାକୁ ପ୍ରୟାସ ଜାରି ରହିଛି ବୋଲି ସେ ଗୃହକୁ ଜଣାଇଛନ୍ତି।

