ନ୍ୟୁଜ ଡେକ୍ସ : ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ସହ ଗୁଳୁଗୁଳି ଅବସ୍ଥା ଜାରି ରହିଛି। ପାଣିପାଗ ବିଭାଗ ପକ୍ଷରୁ ଆଜି ବହୁ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି।ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାଲେଶ୍ୱର ସମେତ କେତେକ ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ଚମକ ଓ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ମଧ୍ୟ ପ୍ରବଳ ପବନ ଓ ବଜ୍ରପାତର ଆଶଙ୍କା ଥିବାରୁ ଉଚ୍ଚସ୍ତରୀୟ ସତର୍କ ସୂଚନା ଜାରି କରାଯାଇଛି।ସେହିପରି ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର ଓ ଗଞ୍ଜାମ ସମେତ ଅନେକ ଜିଲ୍ଲାରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତର ସମ୍ଭାବନା ରହିଥିବାରୁ ସତର୍କ ରହିବାକୁ କୁହାଯାଇଛି।
ଏହା ସହ ୧୯ ଓ ୨୦ ତାରିଖ ବେଳକୁ ରାଜ୍ୟର ତାପମାତ୍ରା ପୁଣି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଆକଳନ କରାଯାଇଛି। ରାଜ୍ୟକୁ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ବଙ୍ଗୋପସାଗରରେ କୌଣସି ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟିର ସମ୍ଭାବନା ନ ଥିବାରୁ ବ୍ୟାପକ ବର୍ଷା ହେଉନାହିଁ। ଫଳରେ ରାଜ୍ୟର କେତେକ ସ୍ଥାନରେ ଏବେ ମଧ୍ୟ ଗୁଳୁଗୁଳି ଅନୁଭୂତ ହେଉଛି।ପାଣିପାଗ ବିଭାଗ ଲୋକଙ୍କୁ ବଜ୍ରପାତ ଓ ପ୍ରବଳ ପବନ ସମୟରେ ସତର୍କ ରହିବା ସହ ଆବଶ୍ୟକ ନ ହେଲେ ଘରୁ ବାହାରକୁ ନ ଯିବା ପାଇଁ ପରାମର୍ଶ ଦେଇଛି।

