Mon. Jun 15th, 2026

ନ୍ୟୁଜ ଡେକ୍ସ : ଦେଶରେ ଭଡ଼ା ଘରକୁ ନେଇ ଦୀର୍ଘଦିନ ଧରି ଚାଲିଆସୁଥିବା ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ୧୯୬୭ ମସିହାର ପୁରୁଣା ବ୍ୟବସ୍ଥା ପରିବର୍ତ୍ତେ ନୂତନ ଆଦର୍ଶ ଭଡ଼ାଟିଆ ଆଇନ ପ୍ରଣୟନ କରାଯାଇଛି। ଏହା ଫଳରେ ଘର ମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ସମ୍ପର୍କ ଅଧିକ ସ୍ୱଚ୍ଛ ଏବଂ ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।

ନୂତନ ବ୍ୟବସ୍ଥା ଅନୁସାରେ ଏଣିକି ମୌଖିକ ସହମତି ଆଧାରରେ ଘର ଭଡ଼ା ଦେବା ବ୍ୟବସ୍ଥା ଆଉ ଚାଲିବ ନାହିଁ। ଘର ମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ଲିଖିତ ଚୁକ୍ତିନାମା କରିବା ବାଧ୍ୟତାମୂଳକ ହେବ। ଏହା ସହ ଏକ ସ୍ୱତନ୍ତ୍ର ଅନଲାଇନ୍ ବ୍ୟବସ୍ଥା ମାଧ୍ୟମରେ ପ୍ରତ୍ୟେକ ଚୁକ୍ତିର ଡିଜିଟାଲ ପଞ୍ଜିକରଣ କରାଯିବ ଏବଂ ଏକ ସ୍ୱତନ୍ତ୍ର ପରିଚୟ ସଂଖ୍ୟା ପ୍ରଦାନ କରାଯିବ।ଆଇନରେ ଭଡ଼ା ଦର ଓ ଭଡ଼ା ବୃଦ୍ଧି ସମ୍ପର୍କରେ ମଧ୍ୟ ସ୍ପଷ୍ଟ ନିୟମ ରହିଛି। ଉଭୟ ପକ୍ଷର ସହମତି ଆଧାରରେ ଭଡ଼ା ନିର୍ଦ୍ଧାରଣ ହେବ ଏବଂ ଏହାକୁ ଚୁକ୍ତିନାମାରେ ଉଲ୍ଲେଖ କରିବାକୁ ପଡ଼ିବ।

ସୁରକ୍ଷା ଜମା ରାଶି, ଘରର ମରାମତି ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ କାହାର ରହିବ, ସେନେଇ ମଧ୍ୟ ସ୍ପଷ୍ଟ ବ୍ୟବସ୍ଥା କରାଯାଇଛି। ସେହିପରି ଭଡ଼ା ରାଶି ଗ୍ରହଣ କରିବା ପରେ ଘର ମାଲିକଙ୍କୁ ରସିଦ ଦେବା ବାଧ୍ୟତାମୂଳକ କରାଯାଇଛି। ଅନ୍ୟପକ୍ଷରେ ଘର ମାଲିକଙ୍କ ଅନୁମତି ବିନା ଭଡ଼ାଟିଆ ଘରକୁ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଭଡ଼ାରେ ଦେଇପାରିବେ ନାହିଁ। ନୂତନ ଆଇନ ଭଡ଼ା ଘର ସମ୍ବନ୍ଧୀୟ ବିବାଦ କମାଇବା ସହ ଉଭୟ ପକ୍ଷଙ୍କ ଅଧିକାର ଓ ଦାୟିତ୍ୱକୁ ଅଧିକ ସ୍ପଷ୍ଟ କରିବ ବୋଲି ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *