Mon. Jun 15th, 2026

ନ୍ୟୁଜ ଡେକ୍ସ : ପହିଲି ରଜର ଆନନ୍ଦ ମଧ୍ୟରେ ବାଲେଶ୍ୱର ଜିଲ୍ଲାରେ ଘଟିଛି ଏକ ଦୁଃଖଦ ସଡ଼କ ଦୁର୍ଘଟଣା। ସୋର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଆଦିରୂପା ପେଟ୍ରୋଲ ପମ୍ପ ନିକଟରେ ଏକ ତୀର୍ଥଯାତ୍ରୀ ବସ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ବସ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଶ୍ରୀ ଲକ୍ଷ୍ମୀ ନାମକ ଘରୋଇ ବସ୍‌ରେ ୫୩ ଜଣ ତୀର୍ଥଯାତ୍ରୀ ଆନ୍ଧ୍ରପ୍ରଦେଶର ବିଜୟନଗରମରୁ କୋଲକାତା ଭ୍ରମଣରେ ଯାଇଥିଲେ। କୋଲକାତାରୁ ପୁରୀ ଫେରୁଥିବା ସମୟରେ ସୋର ନିକଟରେ ବସ୍‌ଟି ନିୟନ୍ତ୍ରଣ ହରାଇ ରାଜପଥର ମଧ୍ୟଭାଗର ବିଭାଜକରେ ପିଟି ହୋଇଯାଇଥିଲା। ଫଳରେ ବସ୍‌ଟି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ସୋର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ପହିଲି ରଜ ଦିନ ଘଟିଥିବା ଏହି ଅଘଟଣ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଦୁର୍ଘଟଣାର ସଠିକ୍ କାରଣ ଜାଣିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *