ନ୍ୟୁଜ ଡେକ୍ସ : ରଜ ପର୍ବ ଅବସରରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଅଭୂତପୂର୍ବ ଭିଡ଼ ଦେଖିବାକୁ ମିଳିଛି। ପହିଲି ରଜରେ ଗରମ ଓ ଗୁଳୁଗୁଳିକୁ ଖାତିର ନକରି ହଜାର ହଜାର ପର୍ଯ୍ୟଟକ ନନ୍ଦନକାନନକୁ ବୁଲିବା ପାଇଁ ଆସିଥିଲେ। ବିଶେଷକରି ଓଡ଼ିଆ ପର୍ଯ୍ୟଟକ ଏବଂ ଛୋଟ ପିଲାଙ୍କ ଭିଡ଼ ଅଧିକ ପରିଲକ୍ଷିତ ହୋଇଥିଲା।ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ପହିଲି ରଜରେ ମୋଟ ୨୯ ହଜାର ୩୮୦ ଜଣ ପର୍ଯ୍ୟଟକ ନନ୍ଦନକାନନ ପରିଦର୍ଶନ କରିଛନ୍ତି। ସେଥିମଧ୍ୟରୁ ୨୭ ହଜାର ୧୯୨ ଜଣ ପ୍ରାଣୀ ଉଦ୍ୟାନ ଏବଂ ୨ ହଜାର ୧୮୮ ଜଣ ଉଦ୍ଭିଦ ଉଦ୍ୟାନ ବୁଲିଥିଲେ।
ପ୍ରାଣୀ ଉଦ୍ୟାନରେ ବାଘ, ସିଂହ, ଭାଲୁ, ଜିରାଫ ଓ ବିଭିନ୍ନ ପକ୍ଷୀଙ୍କୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଇଥିଲା।ସକାଳୁ ଟିକେଟ ବିକ୍ରୟ କେନ୍ଦ୍ର ଏବଂ ଯାନବାହନ ରଖିବା ସ୍ଥାନରେ ଭିଡ଼ ଆରମ୍ଭ ହୋଇଯାଇଥିଲା। ଶିଶୁ ଉଦ୍ୟାନରେ ପିଲାମାନେ ଦୋଳି ଖେଳି ରଜର ଆନନ୍ଦ ଉପଭୋଗ କରିଥିଲେ। ଉଦ୍ଭିଦ ଉଦ୍ୟାନରେ ମଧ୍ୟ ପର୍ଯ୍ୟଟକମାନେ ବିଭିନ୍ନ ଫୁଲ ବଗିଚା ବୁଲିବା ସହ ଦୋଳିର ଆନନ୍ଦ ନେଇଥିଲେ। ପର୍ଯ୍ୟଟକଙ୍କ ସୁରକ୍ଷା ଓ ସୁବିଧା ପାଇଁ ଅଧିକ ସଂଖ୍ୟାରେ ସୁରକ୍ଷାକର୍ମୀ, ପିଇବା ପାଣିର ବ୍ୟବସ୍ଥା, ବିଶ୍ରାମ ସ୍ଥଳ, ଚିକିତ୍ସା ଦଳ ଓ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଥିଲା।
ନନ୍ଦନକାନନ ଥାନା ପକ୍ଷରୁ ମୁଖ୍ୟ ରାସ୍ତାରେ ଯାତାୟାତ ନିୟନ୍ତ୍ରଣ ସହ ପୁଲିସ ବଳ ମୁତୟନ କରାଯାଇଥିଲା।ରଜ ଅବସରରେ ସୋମବାର ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ। ଉଭୟ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନରେ ପର୍ଯ୍ୟଟକମାନେ ବୁଲିବାର ସୁଯୋଗ ପାଇବେ। ତେବେ ମଙ୍ଗଳବାର ନନ୍ଦନକାନନ ବନ୍ଦ ରହିବ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।

