Sun. Feb 22nd, 2026

ନ୍ୟୁଜ ଡେକ୍ସ : ଶନିବାର ଭାରତ ଓ ବ୍ରାଜିଲ ମଧ୍ୟରେ ୩ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ଏହି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ରେୟାର ଆର୍ଥ ମିନେରାଲ୍ସ, ଡିଜିଟାଲ ପାର୍ଟନର୍ସିପ୍ ଓ ଖଣି ସହଯୋଗ ସହିତ ଏକାଧିକ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହମତି ସୃଷ୍ଟି ହୋଇଛି।

ଦୁଇ ଦେଶ ପାରସ୍ପରିକ ବାଣିଜ୍ୟକୁ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୨୦ ବିଲିୟନ ଡଲାରରୁ ଅଧିକକୁ ପହଞ୍ଚାଇବାକୁ ଲକ୍ଷ୍ୟ ଧରିଛନ୍ତି। ଶକ୍ତି, ବାଣିଜ୍ୟ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ଉଭୟ ପକ୍ଷ ସଂକଳ୍ପ ବ୍ୟକ୍ତ କରିଛନ୍ତି। ଏହା ସହିତ ଜାତିସଂଘ ସଂସ୍କାର ପାଇଁ ଗ୍ଲୋବାଲ୍ ସାଉଥ୍‌ର ସ୍ୱରକୁ ଶକ୍ତିଶାଳୀ କରିବାକୁ ମଧ୍ୟ ପ୍ରତିବଦ୍ଧତା ଜଣାଇଛନ୍ତି।ମିଳିତ ସମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ରାଷ୍ଟ୍ରପତି ଲୁଲା ଓ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତରେ ସ୍ୱାଗତ କରି ସେ ଆନନ୍ଦିତ। ଭାରତ-ବ୍ରାଜିଲ ସମ୍ପର୍କ ଦୀର୍ଘଦିନ ଧରି ରାଷ୍ଟ୍ରପତି ଲୁଲାଙ୍କ ଦୃଷ୍ଟିକୋଣ ଓ ନେତୃତ୍ୱରୁ ଲାଭବାନ ହୋଇଆସିଛି। ସେ କହିଥିଲେ ଯେ, “ଆମର ବାଣିଜ୍ୟ କେବଳ ସଂଖ୍ୟା ନୁହେଁ, ଏହା ବିଶ୍ୱାସର ପ୍ରତିଫଳନ।”

ରାଷ୍ଟ୍ରପତି ଲୁଲା ଏହି ବୈଠକକୁ ଗ୍ଲୋବାଲ୍ ସାଉଥର ଦୁଇଟି ପ୍ରମୁଖ ଗଣତନ୍ତ୍ର ମଧ୍ୟରେ ଏକ ରଣନୈତିକ ସହଭାଗୀତା ଭାବେ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ, ଭାରତ ଏବଂ ବ୍ରାଜିଲ କେବଳ ଦୁଇଟି ବୃହତ୍ ଗଣତନ୍ତ୍ର ନୁହେଁ, ବରଂ ଏକ ନବୀକରଣୀୟ ଶକ୍ତି ମହାଶକ୍ତି ଓ ଏକ ଡିଜିଟାଲ୍ ମହାଶକ୍ତିର ମିଳନ। ଏକ ଅଶାନ୍ତ ବିଶ୍ୱ ପରିସ୍ଥିତିରେ ଦୁଇ ଦେଶ ମଧ୍ୟରେ ରଣନୈତିକ ଆଲୋଚନାକୁ ଆହୁରି ଗଭୀର କରିବା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ।ସେହିପରି ଜାତିସଂଘ, ବିଶ୍ୱ ବାଣିଜ୍ୟ ସଂଗଠନ ଓ G20 ଭଳି ମଞ୍ଚରେ ଭାରତ ଏବଂ ବ୍ରାଜିଲ ଗୁରୁତ୍ୱପୂର୍ଣ୍ଣ ସ୍ୱର ଭାବେ ଉଭୟ ଦେଶ ନିଜର ଭୂମିକା ଆହୁରି ସକ୍ରିୟ କରିବାକୁ ମନସ୍କ ହୋଇଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *