Mon. Feb 23rd, 2026

ନ୍ୟୁଜ ଡେକ୍ସ : ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ସମୁଦ୍ର ପତ୍ତନଠାରୁ ପ୍ରାୟ ୫.୮ କିଲୋମିଟର ପର୍ଯ୍ୟନ୍ତ ଉପର ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ରହିଥିବା ସୂଚନା ମିଳିଛି। ଏହାର ପ୍ରଭାବରେ ଆଜି ରାଜ୍ୟର ୮ଟି ଜିଲ୍ଲାରେ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବିଷୁବ ଭାରତ ମହାସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଥିବା ଉପର ବାୟୁ ଘୂର୍ଣ୍ଣିବଳୟ ଏବେ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଗାମୀ ସମୟରେ ଅଧିକ ସୁସ୍ପଷ୍ଟ ହେବାର ସମ୍ଭାବନା ରହିଛି।ଏହାର ପ୍ରଭାବରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ଏହି ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ୨୪ ତାରିଖରେ ମୟୂରଭଞ୍ଜ, ଯାଜପୁର ଓ କଟକ ଜିଲ୍ଲାରେ ମଧ୍ୟ ବିଜୁଳି ଓ ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ଏହି ୩ଟି ଜିଲ୍ଲା ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।ପାଣିପାଗ ବିଭାଗର ଆକଳନ ଅନୁସାରେ, ଏହା ପରେ ରାଜ୍ୟରେ ପାଗ ଧୀରେ ଧୀରେ ଶୁଖିଲା ହେବ ଏବଂ ସର୍ବନିମ୍ନ ତାପମାତ୍ରାରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ଦେଖାଯିବ। ଲୋକମାନଙ୍କୁ ବିଜୁଳି ସମୟରେ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *