Wed. Feb 25th, 2026

ନ୍ୟୁଜ ଡେକ୍ସ : କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ଜାତୀୟ ପତାକାର ବ୍ୟବହାର ଓ ସମ୍ମାନ ପ୍ରଦର୍ଶନ ସମ୍ପର୍କରେ ଏକ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରାଯାଇଛି। ‘ଜାତୀୟ ସମ୍ମାନର ଅପମାନ ନିବାରଣ ଆଇନ, ୧୯୭୧’ ଏବଂ ‘ଭାରତୀୟ ଜାତୀୟ ପତାକା ସଂହିତା, ୨୦୦୨’ (୨୦୨୧ ଓ ୨୦୨୨ରେ ସଂଶୋଧିତ) ଅନୁଯାୟୀ ଜାତୀୟ ପତାକାର ଉତ୍ତୋଳନ, ବ୍ୟବହାର ଓ ପ୍ରଦର୍ଶନକୁ ନିୟନ୍ତ୍ରଣ କରାଯାଇଛି।ସଂଶୋଧିତ ନିୟମାବଳୀ ଅନୁସାରେ ଗୁରୁତ୍ୱପୂର୍ଣ୍ଣ ଜାତୀୟ, ସାଂସ୍କୃତିକ ଓ କ୍ରୀଡା କାର୍ଯ୍ୟକ୍ରମରେ ସାଧାରଣ ଲୋକମାନେ କାଗଜରେ ତିଆରି ଜାତୀୟ ପତାକା ଉଡ଼ାଇପାରିବେ।

କିନ୍ତୁ କାର୍ଯ୍ୟକ୍ରମ ଶେଷରେ ଏହି ପତାକାଗୁଡ଼ିକୁ ଭୂମିରେ ଫିଙ୍ଗିବା କିମ୍ବା ଅସମ୍ମାନଜନକ ଭାବରେ ଫୋପାଡ଼ି ଦେବା ଯୋଗ୍ୟ ନୁହେଁ। ବ୍ୟବହୃତ କାଗଜ ପତାକାଗୁଡ଼ିକୁ ପତାକାର ମର୍ଯ୍ୟାଦା ରକ୍ଷା କରି ବ୍ୟକ୍ତିଗତ ଭାବରେ ଯଥାଚିତ ଭାବେ ନଷ୍ଟ କରିବାକୁ କୁହାଯାଇଛି। ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ଯେ ଭାରତୀୟ ଜାତୀୟ ପତାକା ଦେଶବାସୀଙ୍କ ଆଶା, ଆକାଂକ୍ଷା ଓ ଗୌରବର ପ୍ରତୀକ। ଏହା ପ୍ରତି ସାର୍ବଜନୀନ ଶ୍ରଦ୍ଧା, ସମ୍ମାନ ଓ ଆନୁଗତ୍ୟ ରଖିବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ।

ତଥାପି, ଜାତୀୟ ପତାକା ପ୍ରଦର୍ଶନ ସମ୍ପର୍କିତ ଆଇନ, ଅଭ୍ୟାସ ଓ ନିୟମାବଳୀ ବିଷୟରେ ସାଧାରଣ ଲୋକ ଏବଂ ସରକାରୀ ସଂଗଠନମାନଙ୍କ ମଧ୍ୟରେ ସଚେତନତାର ଅଭାବ ଦେଖାଯାଉଥିବାରୁ, ଭାରତୀୟ ଜାତୀୟ ପତାକା ସଂହିତାର ଯଥାର୍ଥ ଅନୁପାଳନ ପାଇଁ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ସମସ୍ତଙ୍କୁ ସଚେତନ ଓ ସତର୍କ ରହିବାକୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *