ନ୍ୟୁଜ ଡେକ୍ସ : ଭୁବନେଶ୍ୱର ସମୀପ ଧଉଳି ଲିଙ୍ଗିପୁର ନିକଟରେ ଥିବା ଏକ ସୁପରମାର୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସୋମବାର ରାତି ପ୍ରାୟ ୧୦ଟା ସମୟରେ ସୁପରମାର୍ଟର ତୃତୀୟ ମହଲାରୁ ହଠାତ୍ ନିଆଁ ବାହାରିଥିଲା। କ୍ଷଣିକ ମଧ୍ୟରେ ନିଆଁ ସମଗ୍ର ମହଲାକୁ ବ୍ୟାପିଯାଇଥିଲା।ଗତକାଲି ରାତିରୁ ଲାଗିଥିବା ନିଆଁ ଦୀର୍ଘ ୮ ଘଣ୍ଟା ପରେ ମଧ୍ୟ ପୂରାପୂରି ଆୟତ୍ତ ହୋଇପାରିନି।
ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିରନ୍ତର ଭାବେ ନିଆଁ ନିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ୫ଟି ଦମକଳ ଗାଡି ସହ ଅତ୍ୟାଧୁନିକ କ୍ରେନ୍କୁ ମଧ୍ୟ ନିଆଁ ନିବା କାମରେ ନିୟୋଜିତ କରାଯାଇଛି।ଘଟଣା ସମୟରେ ତୃତୀୟ ମହଲାରେ ଫସିଥିବା କିଛି ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ତଥାପି ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ ପାଖପାଖି ଥିବା ଦୋକାନ ଓ ମାର୍କେଟ କମ୍ପ୍ଲେକ୍ସକୁ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଥିଲା।
ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ୍, ଷ୍ଟିଲ୍ ଓ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ ସର୍ଟ ସର୍କିଟ୍ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ପୁଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।

