ନ୍ୟୁଜ ଡେକ୍ସ : ବହୁ ଚର୍ଚ୍ଚିତ ବେଲଘର ହାତୀ ମୃତ୍ୟୁ ଘଟଣାରେ ପଳାତକ ଡେପୁଟି ରେଞ୍ଜର ବିନୟ ବିଶି ଆତ୍ମସମର୍ପଣ କରିଛନ୍ତି। ଦୀର୍ଘ ଦେଢ଼ ମାସ ଧରି ଫେରାର ରହିବା ପରେ ସେ ତୁମୁଡିବନ୍ଧ କୋର୍ଟ ଜେଏମଏଫସିଙ୍କ ନିକଟରେ ହାଜର ହୋଇ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।କୋର୍ଟରେ ହାଜର ହେବା ପରେ ୪୮ ଘଣ୍ଟା ମଧ୍ୟରେ ସମସ୍ତ ଦସ୍ତାବିଜ ତଦନ୍ତକାରୀ ଅଧିକାରୀଙ୍କୁ ଦାଖଲ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ହାତୀ ମୃତ୍ୟୁ ପରେ ଘଟଣାକୁ ଚପାଇ ଦେବା ଉଦ୍ୟମରେ ମୃତ ହାତୀର ଶରୀରକୁ ୩୨ ଖଣ୍ଡ କରି ମାଟି ତଳେ ପୋତିଦିଆଯାଇଥିବା ଅଭିଯୋଗ ରହିଛି, ଯାହା ରାଜ୍ୟଜୁଡ଼ା ଚର୍ଚ୍ଚା ସୃଷ୍ଟି କରିଥିଲା।ଘଟଣା ପ୍ରକାଶ ପାଇବା ପରେ ଡେପୁଟି ରେଞ୍ଜର ବିନୟ କୁମାର ବିଶିଙ୍କୁ ନିଲମ୍ବନ କରାଯାଇଥିଲା। ବନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ କରିଥିଲେ। ପରିବାରକୁ ବାରମ୍ବାର ଅବଗତ କରାଯାଇଥିବା ସତ୍ତ୍ୱେ ସେ ଫେରାର ଥିଲେ।
ପଳାତକ ଘୋଷଣା ପରେ ସୋମବାର ସେ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଏହି ହାତୀ ମୃତ୍ୟୁ ଘଟଣାରେ ଏପର୍ଯ୍ୟନ୍ତ ୬ ଜଣ ଶିକାରୀ, ଡେପୁଟି ରେଞ୍ଜରଙ୍କ ଡ୍ରାଇଭର ଓ ଜେସିବି ଅପେରେଟର ସମେତ ମୋଟ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଘଟଣାର ଆଗାମୀ ତଦନ୍ତ ଜାରି ରହିଛି।

