ନ୍ୟୁଜ ଡେକ୍ସ : ଉତ୍ତର ଓଡ଼ିଶାର ପରିବହନ ବ୍ୟବସ୍ଥାରେ ନୂଆ ଅଧ୍ୟାୟ ଯୋଗ ହେବାକୁ ଯାଉଛି। ବାରିପଦାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଏୟାର ଟ୍ୟାକ୍ସି ସେବା ଆସନ୍ତା ମାର୍ଚ୍ଚ ମାସର ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି। ମଙ୍ଗଳବାର ଦିନ Pawan Hans କମ୍ପାନୀ ପକ୍ଷରୁ ସଫଳ ଟ୍ରାଏଲ ରନ୍ କରାଯାଇଛି, ଯାହା ପରେ ଏହି ସେବା ଶୀଘ୍ର ଆରମ୍ଭ ପାଇଁ ପଥ ସୁଗମ ହୋଇଛି।ରାଜ୍ୟର ବାଣିଜ୍ୟ, ପରିବହନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏନେଇ ବିସ୍ତୃତ ଆଲୋଚନା କରାଯାଇଛି।
ବାରିପଦା ପୋଲିସ ଲାଇନ ହେଲିପ୍ୟାଡ଼ରୁ ଭୁବନେଶ୍ୱର ବିମାନ ବନ୍ଦର ପର୍ଯ୍ୟନ୍ତ ଏହି ହେଲିକପ୍ଟର ସେବା ଚାଲୁ ହେବ। ପ୍ରାରମ୍ଭିକ ଚର୍ଚ୍ଚା ଅନୁଯାୟୀ, ମାସକୁ ୪ରୁ ୫ ଥର ଏହି ହେଲିକପ୍ଟର ଉଡାଣ ଭରିବ। ପରବର୍ତ୍ତୀ ସମୟରେ ଯାତ୍ରୀ ସଂଖ୍ୟା ଓ ଚାହିଦା ଅନୁଯାୟୀ ଉଡାଣ ସଂଖ୍ୟା ବୃଦ୍ଧି ପାଇପାରେ। ଏହି ସେବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ପର୍ଯ୍ୟଟନକୁ ଗତି ଦେବା ସହିତ ଦ୍ରୁତ ଓ ସୁବିଧାଜନକ ପରିବହନ ବ୍ୟବସ୍ଥା ଯୋଗାଇଦେବା। ଭୁବନେଶ୍ୱରରୁ ପର୍ଯ୍ୟଟକମାନଙ୍କୁ ବାରିପଦାକୁ ଆଣି ସେଠାରୁ ଶିମିଳିପାଳ ଜାତୀୟ ଉଦ୍ୟାନ ପାଦଦେଶରେ ଅବସ୍ଥିତ ଲୁଲୁଙ୍ଗରେ ରହଣୀ ବ୍ୟବସ୍ଥା କରାଯିବ। ଏହା ଫଳରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ବନ୍ୟପ୍ରାଣୀ ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ଏହି ଅଞ୍ଚଳକୁ ଅଧିକ ସଂଖ୍ୟକ ଦେଶୀ-ବିଦେଶୀ ପର୍ଯ୍ୟଟକ ଆକର୍ଷିତ ହେବେ ବୋଲି ଆଶା କରାଯାଉଛି।
ଏହି ଏୟାର ଟ୍ୟାକ୍ସି ସେବା ଆରମ୍ଭ ହେଲେ ମୟୁରଭଞ୍ଜ ଜିଲ୍ଲାର ପର୍ଯ୍ୟଟନ ସହ ବାଣିଜ୍ୟିକ କାରୋବାରକୁ ମଧ୍ୟ ନୂଆ ଗତି ମିଳିବ। ବ୍ୟବସାୟୀ ଓ ପ୍ରଶାସନିକ କାର୍ଯ୍ୟରେ ଦ୍ରୁତ ଯାତାୟାତ ସମ୍ଭବ ହେବା ସହ ଆପାତକାଳୀନ ସ୍ୱାସ୍ଥ୍ୟ ସେବା କିମ୍ବା ଏମରଜେନ୍ସି ପରିସ୍ଥିତିରେ ମଧ୍ୟ ଏହି ହେଲିକପ୍ଟର ସେବା ଉପକୃତ ହେବ।ସ୍ଥାନୀୟ ଲୋକମାନେ ଏହି ପଦକ୍ଷେପକୁ ସ୍ୱାଗତ କରିଥିବା ବେଳେ, ଏହା ଉତ୍ତର ଓଡ଼ିଶାର ସମଗ୍ର ଉନ୍ନତିରେ ମାଇଲସ୍ଟୋନ୍ ସାବିତ ହେବ ବୋଲି ମନେ କରାଯାଉଛି।

