Thu. Mar 5th, 2026

ନ୍ୟୁଜ ଡେକ୍ସ : କାଳବୈଶାଖୀ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଥିବା ବେଳେ ରାଜଧାନୀରେ ଝୁଲୁଥିବା ବିପଦଜନକ ହୋର୍ଡିଂ ନେଇ ଚିନ୍ତା ବଢ଼ିଛି। ଭୁବନେଶ୍ବର ସହରର ବିଭିନ୍ନ ଅଞ୍ଚଳରେ ଛିଣ୍ଡା, କଳଙ୍କିଲଗା ଓ ଦୁର୍ବଳ ହୋର୍ଡିଂ ଏବେ ବି ଅସୁରକ୍ଷିତ ଅବସ୍ଥାରେ ରହିଛି। ତୀବ୍ର ପବନ ବହିଲେ ଯେକୋଣସି ସମୟରେ ଏହା ଭାଙ୍ଗି ପଡ଼ି ଅଘଟଣ ଘଟାଇପାରେ।ଗତ ଫେବୃଆରି ୨୫ରେ ଆଇଗିଣିଆରେ ଘଟିଥିବା ଦୁଃଖଦ ଘଟଣା ସହରବାସୀଙ୍କୁ ଅବାକ କରିଦେଇଥିଲା।

ବିରାଟକାୟ ହୋର୍ଡିଂ ଭାଙ୍ଗି ପଡ଼ି ଦୁଇଜଣଙ୍କ ଜୀବନ ନେଇଥିବା ସହ ଛଅଜଣ ଆହତ ହୋଇଥିଲେ। ଘଟଣା ପରେ ମହାନଗର ନିଗମ ତତ୍କାଳ ବୈଠକ କରି ବିଜ୍ଞାପନ ଏଜେନ୍ସିମାନଙ୍କୁ ସ୍ଥାୟୀତ୍ୱ ପ୍ରମାଣପତ୍ର ଓ ତୃତୀୟ ପକ୍ଷ ବୀମା ଦେବାକୁ ନିର୍ଦ୍ଦେଶ ଦେଇଥିଲା।ସେଥିସହ ଛିଣ୍ଡା ଓ ବିପଦପୂର୍ଣ୍ଣ ହୋର୍ଡିଂଗୁଡ଼ିକୁ ତତ୍କାଳ ହଟାଇବାକୁ ମଧ୍ୟ କୁହାଯାଇଥିଲା। କିନ୍ତୁ ଅନେକ ଅଞ୍ଚଳରେ ଏହି ନିର୍ଦ୍ଦେଶ ପ୍ରୟୋଗ ହୋଇନାହିଁ।

ବରମୁଣ୍ଡା, ଲିଙ୍ଗିପୁର, ପଳାଶୁଣୀ, ମାଷ୍ଟରକ୍ୟାଣ୍ଟିନ ସହ ଅନ୍ୟାନ୍ୟ ବ୍ୟସ୍ତ ଅଞ୍ଚଳରେ ମାଳମାଳ ହୋର୍ଡିଂ ଦେଖାଯାଉଛି। ସାମାନ୍ୟ ପବନରେ ହୋର୍ଡିଂର ଛିଣ୍ଡା ଅଂଶ ଉଡ଼ି ଯାଉଥିବାରୁ ଚାଳକ ଓ ପଥଚାରୀମାନେ ଭୟଭୀତ ଅନୁଭବ କରୁଛନ୍ତି। ନିଗମ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ନ ନେଲେ ଆଗାମୀ ଦିନରେ ପୁନଃ ଅଘଟଣ ଘଟିବାର ଆଶଙ୍କା ରହିଛି।ଜନସୁରକ୍ଷାକୁ ପ୍ରାଥମ୍ୟ ଦେଇ ତୁରନ୍ତ ସମସ୍ତ ବିପଦଜନକ ହୋର୍ଡିଂ ହଟାଇବାକୁ ସାଧାରଣ ଲୋକଙ୍କ ଦାବି ଜୋରଦାର ହୋଇଛି।

Leave a Reply

Your email address will not be published. Required fields are marked *