ନ୍ୟୁଜ ଡେକ୍ସ : ରାଜ୍ୟସଭା ନିର୍ବାଚନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବରିଷ୍ଠ ରାଜନେତା ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ନିର୍ବାଚନ ଲଢିବେ ବୋଲି ସୂଚନା ମିଳିଛି। ଆସନ୍ତା ୫ ତାରିଖରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବେ।ଏନେଇ ଦିଲ୍ଲୀପ ରାୟ କହିଛନ୍ତି ଯେ, ସେ ଏହାକୁ ନେଇ ରାଜ୍ୟ ଓ କେନ୍ଦ୍ର ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି।
ତାଙ୍କ ସ୍ୱାଧୀନ ପ୍ରାର୍ଥୀତ୍ୱକୁ ଭାରତୀୟ ଜନତା ପାର୍ଟି ସମର୍ଥନ କରିବ ବୋଲି ଜଣାପଡ଼ିଛି। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଦିଲ୍ଲୀପ ରାୟ ନିଶ୍ଚୟ ଜିତିବେ।ଏହାପୂର୍ବରୁ ବିଜୁ ଜନତା ଦଳ ପକ୍ଷରୁ ସଂତୃପ୍ତ ମିଶ୍ର ଏବଂ ଡ଼. ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ୪ର୍ଥ ପ୍ରାର୍ଥୀ ଭାବେ ଉଭା ହୋଇଥିବା ଡ଼. ଦତ୍ତେଶ୍ୱର ହୋତାଙ୍କୁ କଂଗ୍ରେସ ପକ୍ଷରୁ ସମର୍ଥନ ମିଳିଛି। ଏହି ପରିପ୍ରେକ୍ଷିତରେ ଦତ୍ତେଶ୍ୱର ହୋତା ଓ ଦିଲ୍ଲୀପ ରାୟଙ୍କ ମଧ୍ୟରେ ଜୋରଦାର ଲଢେଇ ହେବାର ସମ୍ଭାବନା ଦେଖାଦେଇଛି।
ରାଜ୍ୟସଭାର ୪ର୍ଥ ଆସନକୁ ନେଇ ରୋଚକ ପ୍ରତିସ୍ପର୍ଧା ହେବାକୁ ଯାଉଛି। ସୂଚନାଯୋଗ୍ୟ ଯେ, ଓଡ଼ିଶା କୋଟାରୁ ରାଜ୍ୟସଭାର ୪ଟି ଆସନ ଖାଲି ହୋଇଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ମାର୍ଚ୍ଚ ୫ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିବା ବେଳେ ୬ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ ହେବ। ମାର୍ଚ୍ଚ ୯ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ମାର୍ଚ୍ଚ ୧୬ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ ଓ ପରେ ଭୋଟ୍ ଗଣତି କରାଯିବ।

