ନ୍ୟୁଜ ଡେକ୍ସ : ରାଜ୍ୟସଭା ନିର୍ବାଚନକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ବିଜେଡି ପକ୍ଷରୁ ସଂତୃପ୍ତ ମିଶ୍ର ଓ ଡ଼. ଦତ୍ତେଶ୍ୱର ହୋତା ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇ ପ୍ରାର୍ଥୀଙ୍କୁ ସ୍ବାଗତ ଜଣାଇଛନ୍ତି।ଏହି ସମୟରେ ସମ୍ଭାବ୍ୟ ମେଣ୍ଟ ସମ୍ପର୍କରେ ନବୀନଙ୍କୁ ପ୍ରଶ୍ନ କରାଯାଇଥିଲା। ତାହାର ଉତ୍ତରରେ ସେ କହିଥିଲେ, “ଭବିଷ୍ୟତ କଣ ହେବ, ସମୟ କହିବ।”
ନବୀନଙ୍କ ଏହି ପ୍ରତିକ୍ରିୟା ପରେ ରାଜ୍ୟ ରାଜନୀତିରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଭବିଷ୍ୟତରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।ସଂତୃପ୍ତ ମିଶ୍ର ଓ ଡ଼. ଦତ୍ତେଶ୍ୱର ହୋତା ନାମାଙ୍କନ ଭରିବା ସମୟରେ ବିଜେଡି ଓ କଂଗ୍ରେସର ଅନେକ ସଦସ୍ୟ ଉପସ୍ଥିତ ଥିଲେ। ଚତୁର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସର ସମର୍ଥନରେ ଡ଼. ଦତ୍ତେଶ୍ୱର ହୋତା ସାଧାରଣ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ଅନ୍ୟପଟେ ଭାଜପା ପକ୍ଷରୁ ମନମୋହନ ସାମଲ ଓ ସୁଜିତ କୁମାର ପ୍ରାର୍ଥୀ ହୋଇଛନ୍ତି। ଚତୁର୍ଥ ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଦିଲ୍ଲୀପ ରାୟ ମଧ୍ୟ ନାମାଙ୍କନ ଭରିଛନ୍ତି, ଯିଏ ଭାଜପାର ସମର୍ଥନ ପାଇଥିବା କୁହାଯାଉଛି। ଏହି ପରିସ୍ଥିତିରେ ଚତୁର୍ଥ ଆସନକୁ ନେଇ ରୋଚକ ପ୍ରତିଦ୍ୱନ୍ଦ୍ୱିତା ହେବା ନିଶ୍ଚିତ ହୋଇଛି। ରାଜ୍ୟସଭା ନିର୍ବାଚନ ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ହେବ।

