Mon. Apr 20th, 2026

ନ୍ୟୁଜ ଡେକ୍ସ : ପଶ୍ଚିମବଙ୍ଗରେ ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ତାପମାତ୍ରା ବଢ଼ୁଥିବା ବେଳେ ଏବେ ନୂଆ ବିବାଦରେ ଫସିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ନେଇ ଅସମ୍ମାନ ହୋଇଥିବା ଅଭିଯୋଗ ଉଠିବା ପରେ ଏହାକୁ ନେଇ ରାଜନୀତି ଜୋରଦାର ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଖୋଦ ରାଷ୍ଟ୍ରପତି ମଧ୍ୟ ଏହି ଘଟଣା ନେଇ ଅସନ୍ତୋଷ ପ୍ରକାଶ କରିଥିବା କୁହାଯାଉଛି।

ଏହି ବିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ୍ସରେ ପୋଷ୍ଟ କରି ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ରାଜ୍ୟ ସରକାର ଦ୍ୱାରା ଆୟୋଜିତ ହୋଇନଥିଲା, ବରଂ ଅନ୍ତର୍ଜାତୀୟ ସାନ୍ତାଳ ପରିଷଦ ନାମକ ଏକ ଘରୋଇ ସଂଗଠନ ଦ୍ୱାରା କରାଯାଇଥିଲା। ରାଷ୍ଟ୍ରପତିଙ୍କୁ ସିଲିଗୁଡ଼ିରେ ଆୟୋଜିତ ୯ମ ଅନ୍ତର୍ଜାତୀୟ ଆଦିବାସୀ ସାନ୍ତାଳ ସମ୍ମିଳନୀରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା।ମମତା ବାନାର୍ଜୀ କହିଛନ୍ତି ଯେ ସିଲିଗୁଡ଼ି ଜିଲ୍ଲା ପ୍ରଶାସନ ପୂର୍ବରୁ ରାଷ୍ଟ୍ରପତିଙ୍କ ସଚିବାଳୟକୁ ସୂଚନା ଦେଇଥିଲା ଯେ କାର୍ଯ୍ୟକ୍ରମ ସ୍ଥଳ ସଠିକ୍ ଭାବରେ ପ୍ରସ୍ତୁତ ହୋଇନାହିଁ। ରାଷ୍ଟ୍ରପତିଙ୍କ ଦଳ ମଧ୍ୟ ସ୍ଥାନ ପରିଦର୍ଶନ କରି ପରିସ୍ଥିତି ବିଷୟରେ ଅବଗତ ହୋଇଥିଲେ। ଏହା ସତ୍ତ୍ୱେ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟରେ ଆୟୋଜିତ ହୋଇଥିଲା।

ସେ ଆହୁରି କହିଛନ୍ତି ଯେ ସିଲିଗୁଡ଼ିର ମେୟର, ଦାର୍ଜିଲିଂର ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ସିଲିଗୁଡ଼ି ପୋଲିସ କମିଶନର ପ୍ରୋଟୋକଲ ଅନୁସାରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଓ ବିଦାୟ ଦେଇଥିଲେ। ଏହି କାର୍ଯ୍ୟକ୍ରମର ଲାଇନଅପ୍ କିମ୍ବା ମଞ୍ଚ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କୁ ସାମିଲ କରାଯାଇନଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରୋଟୋକଲ ଲ୍ୟାପ୍ସ ହୋଇନାହିଁ ବୋଲି ମମତା ଦାବି କରିଛନ୍ତି।ବିଜେପିର ସମାଲୋଚନାକୁ ଉତ୍ତର ଦେଇ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ବିଜେପିର ପରାମର୍ଶରେ ରାଷ୍ଟ୍ରପତିଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି।

କୋଲକାତାରେ ଏକ ସମାବେଶରେ ସେ କହିଥିଲେ ଯେ ସେ ରାଷ୍ଟ୍ରପତିଙ୍କୁ ଅତ୍ୟନ୍ତ ସମ୍ମାନ କରନ୍ତି, କିନ୍ତୁ ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ପଠାଯାଉଥିବା ଦେଖି ସେ ଦୁଃଖିତ। ଉଲ୍ଲେଖନୀୟ ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ପ୍ରତି ଦାର୍ଜିଲିଂରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଠାରେ କାର୍ଯ୍ୟକ୍ରମ ସ୍ଥାନ ହଠାତ୍ ପରିବର୍ତ୍ତନ ହୋଇଥିବା ସହ ରାଜ୍ୟ ସରକାରଙ୍କ କୌଣସି ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ଉପସ୍ଥିତ ନଥିବାକୁ ନେଇ ରାଷ୍ଟ୍ରପତି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ନେଇ ଏବେ ପଶ୍ଚିମବଙ୍ଗର ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *