ନ୍ୟୁଜ ଡେକ୍ସ : ରଙ୍ଗର ପର୍ବ ହୋଲିକୁ ନେଇ ଗାଁଠୁ ସହର ପର୍ଯ୍ୟନ୍ତ ଉତ୍ସବର ମାହୋଲ୍ ସୃଷ୍ଟି ହୋଇଛି। କୁନି ପିଲାଠୁ ବୁଢା ଯାଏଁ ସମସ୍ତେ ରଙ୍ଗରେ ରଙ୍ଗିନ ହେବାକୁ ପ୍ରସ୍ତୁତ। ସହରରୁ ଆରମ୍ଭ କରି ଗାଁର ଗଳିଗଳିରେ ଖୋଲିଛି ରଙ୍ଗର ପସରା। ତେବେ ଏହି ଉତ୍ସବ ମଧ୍ୟରେ ଅମାନିଆଙ୍କୁ ସାବାଡ କରିବାକୁ କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି।
ହୋଲି ପ୍ରସ୍ତୁତି ସମ୍ବନ୍ଧରେ କଟକର ଡିସିପି ଋଷିକେଶ ଖିଲାରୀ ସୂଚନା ଦେଇ କହିଛନ୍ତି ଯେ, ହୋଲି ପର୍ବ ଦିନ ସହରରେ ମଦ ବିକ୍ରି ହେବ ନାହିଁ। ସୁରକ୍ଷା ଦୃଷ୍ଟିକୋଣରୁ ସହରରେ ମୋଟ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ଏବଂ ୨୦୦ ହୋମଗାର୍ଡ ମଧ୍ୟ ଦାୟିତ୍ୱରେ ରହିବେ।ସେ ଅପିଲ କରିଛନ୍ତି ଯେ, ଅନ୍ୟ କାହାକୁ ଅସୁବିଧାରେ ପକାଇ ରଙ୍ଗ ନଖେଳନ୍ତୁ ଏବଂ ଶାନ୍ତିପୂର୍ଣ୍ଣ ଭାବେ ପର୍ବ ପାଳନ କରନ୍ତୁ। ପୋଲିସ ପକ୍ଷରୁ ବ୍ଲକିଂ ଓ ନାଇଟ ଚେକିଂ ଜାରି ରହିଛି। ଆସନ୍ତାକାଲି ଭୋର୍ ସମୟରୁ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯିବ।
ଏହାସହ ଫାୟାର ସର୍ଭିସ ଓ ଓଡ୍ରାଫ ଟିମ୍କୁ ମଧ୍ୟ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶବ୍ଦ ପ୍ରଦୂଷଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଯାଇଛି। ରଙ୍ଗ ଖେଳି ସାରିବା ପରେ ନଦୀକୁ ଯିବା ଓ ସ୍ନାନ କରିବାରୁ ବିରତ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।କମିଶନରେଟ ପୋଲିସ ପକ୍ଷରୁ ସମସ୍ତଙ୍କୁ ସଚେତନ ଓ ଶାନ୍ତିପୂର୍ଣ୍ଣ ଭାବେ ହୋଲି ପାଳନ କରିବାକୁ ଅନୁରୋଧ କରାଯାଇଛି।

