Thu. Mar 5th, 2026

ନ୍ୟୁଜ ଡେକ୍ସ : ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ବୃନ୍ଦାବନ ମହୋତ୍ସବ ୨୦୨୬ ଧୁମଧାମରେ ଆୟୋଜିତ ହୋଇଯାଇଛି। ହୋଲିର ଏହି ଶୁଭସନ୍ଧ୍ୟାରେ ପ୍ରଖ୍ୟାତ ସଙ୍ଗୀତଜ୍ଞ Hariharanଙ୍କ ଜାଦୁଗରି କଣ୍ଠରୁ ଗଜଲ୍ ଶୁଣି ଉପସ୍ଥିତ ସଙ୍ଗୀତ ପ୍ରେମୀମାନେ ମନମୁଗ୍ଧ ହୋଇଥିଲେ। କାର୍ଯ୍ୟକ୍ରମରେ ପଦ୍ମ ବିଭୂଷଣ Hariprasad Chaurasia ମଧ୍ୟ ଉପସ୍ଥିତ ଥିଲେ।

ରାଧା କୃଷ୍ଣଙ୍କ ହୋଲି ଖେଳର ଅଦ୍ଭୁତ ବର୍ଣ୍ଣନା ଗଜଲ୍ ମାଧ୍ୟମରେ ପରିବେଷଣ କରିଥିଲେ ହରିହରନ। ରସିଆ ତୁ ଆଯା କାହ୍ନା ନଦୀଆ କିନାରେ ଗଜଲ୍ ରୁ ସେ ଆରମ୍ଭ କରିଥିଲେ। ପରେ ନଦୀଆ କିନାରେ ମୋରା କାହ୍ନା ଏବଂ ନଦୀଆ କିନାରେ ପର ଏସି ହୋଲି ନା ଖେଲୋ କହ୍ନେୟାରେ ଭଳି ଗଜଲ୍ ପରିବେଷଣ କରି ସମସ୍ତଙ୍କ ହୃଦୟ ଜିଣିଥିଲେ। ଭରି ପିଚକାରୀ ମାରେ ମୁଖ ପର ମାରତ ହେ ଏବଂ ଲୋଗ କେହେତେ ହେଁ ଅଜନବି ଭଳି ଲୋକପ୍ରିୟ ଗଜଲ୍ ଗାଇ ସେ ସଭାକୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ମୋରେ ଅପନେ ହି ରଙ୍ଗ ମେ ରଙ୍ଗ ଦୋ, କାସ୍ ଏସା କୋଇ ମଞ୍ଜର ହୋତା, ମେରେ କାନ୍ଧେ ପେ ତେରା ସର୍ ହୋତା ଭଳି ଗଜଲ୍ ଗୁଡ଼ିକୁ ଉପସ୍ଥିତ ସଙ୍ଗୀତପ୍ରେମୀମାନେ ସୁରେ ସୁରେ ସାଥ ଦେଇଥିଲେ।

୮୦ ଦଶକରେ ହରିପ୍ରସାଦ ଚୌରାଶିଆଙ୍କ ସଙ୍ଗୀତ ସଂୟୋଜନରେ ସୁପରହିଟ ହୋଇଥିବା ୟେ ଲମ୍ହେ ୟେ ପଲ୍ ବର୍ଷୋ ୟାଦ୍ କରେଙ୍ଗେ ମଧ୍ୟ ସେ ଗାଇଥିଲେ। ପରେ ରୋଜା ରୋଜା ଏବଂ Bombay ଚଳଚ୍ଚିତ୍ରର ଲୋକପ୍ରିୟ ଗୀତ ତୁ ହି ରେ ସମସ୍ତଙ୍କ ଫର୍ମାଇସରେ ପରିବେଷଣ କରିଥିଲେ।ହରିହରନଙ୍କ ସୁପର ଶୋ ପୂର୍ବରୁ ବୃନ୍ଦାବନ ଗୁରୁକୂଳର ଛାତ୍ରମାନେ ସାମୁହିକ ବଂଶୀ ବାଦନ ପରିବେଷଣ କରିଥିଲେ। ହରିପ୍ରସାଦ ଚୌରାଶିଆଙ୍କ ସ୍ମୃତିରେ ସର୍ବଭାରତୀୟ ସ୍ତରରେ ପ୍ରସିଦ୍ଧ ହୋଇଥିବା ହୋଲି ସଙ୍ଗୀତ ରଙ୍ଗ ବରସେ ଭିଗେ ଚୁନେରିଆର ସୁର ମଧ୍ୟ ବଂଶୀରେ ବଜାଇଥିଲେ ଛାତ୍ରମାନେ।

ବୃନ୍ଦାବନ ଗୁରୁକୂଳ ପକ୍ଷରୁ ହରିପ୍ରସାଦ ଚୌରାଶିଆ ଓ ହରିହରନଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ଖଣ୍ଡୁଆ ପାଟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ହରିହରନଙ୍କ ଟିମ୍କୁ ବିଶାଳ ଦେବ ସମ୍ମାନିତ କରିଥିଲେ। ଆଇଟିଇଆର ନିର୍ଦ୍ଦେଶକ ମାନସ ମଲିକ୍ ଓ ପ୍ରତିଷ୍ଠିତ ବ୍ୟବସାୟୀ ଇଞ୍ଜିନିୟର ପ୍ରଶାନ୍ତ ଆଚାର୍ଯ୍ୟଙ୍କୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହ ମିଳିତ ଭାବେ ବୃନ୍ଦାବନ ଗୁରୁକୂଳ ଏହି ସଙ୍ଗୀତମୟ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ, ଯାହା ହୋଲି ୨୦୨୬କୁ ସ୍ମରଣୀୟ କରିଦେଇଛି।

Leave a Reply

Your email address will not be published. Required fields are marked *