ନ୍ୟୁଜ ଡେକ୍ସ : ଖୋର୍ଦ୍ଧା ଜିଲ୍ଲାରେ ବଡ଼ ଡକାୟତି ଯୋଜନାକୁ ପୋଲିସ ପଣ୍ଡ କରିଦେଇଛି। ଟାଙ୍ଗୀ ଥାନା ପୋଲିସ ୬ ଜଣ ଡକାୟତଙ୍କୁ ଗିରଫ କରିଥିବା ବେଳେ ଘଟଣାସ୍ଥଳରୁ ଦୁଇଜଣ ଖସି ପଳାଇ ଯାଇଥିବା ସୂଚନା ମିଳିଛି।ସୂଚନାନୁଯାୟୀ, ଡକାୟତମାନେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନ ଚଣ୍ଡେଶ୍ଵର-ପଡିଆ ବେଣୀପଥର ରାସ୍ତାରେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ।
ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ଥାନା ନିରୀକ୍ଷକ ରବୀନ୍ଦ୍ର ଭୁଜବଳଙ୍କ ନେତୃତ୍ୱରେ ପୋଲିସର ସତନ୍ତ୍ର ଟିମ ଅତର୍କିତ ଚଢାଉ କରିଥିଲା।ଏହି ଚଢାଉରେ ୬ ଜଣ ଡକାୟତଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିଲା।ସେମାନଙ୍କ ଠାରୁ ଦୁଇଟି ବାଇକ, ଦୁଇଟି ଖଣ୍ଡା, ଗୋଟିଏ ପିସ୍ତଲ, ଗୋଟିଏ ହଣ୍ଡେଲ ଥାଇ କ୍ରାଙ୍କ, ଗୋଟିଏ ପାଇପ୍ ଓ ଗୋଟିଏ ଲୁହା ରଡ ଜବତ କରାଯାଇଛି।
ଏହି ଅସ୍ତ୍ର-ଶସ୍ତ୍ର ଦ୍ୱାରା ଡକାୟତି ଘଟାଇବା ପାଇଁ ସେମାନେ ପ୍ରସ୍ତୁତି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୋଲିସ ସୂଚନା ଅନୁସାରେ ଅଭିଯୁକ୍ତମାନେ ବାଲୁଗାଁ, ବାଣପୁର ଓ ଗମ୍ଭାରୀମୁଣ୍ଡା ଅଞ୍ଚଳର ବସିନ୍ଦା। ଗିରଫ ହୋଇଥିବା ୬ ଅଭିଯୁକ୍ତଙ୍କୁ ବିଭାଗୀୟ ହାଜତକୁ ପଠାଯାଇଥିବାବେଳେ ପଳାତକ ଦୁଇଜଣଙ୍କ ଖୋଜଖବର ଜାରି ରହିଛି।

