ନ୍ୟୁଜ ଡେକ୍ସ : ଭଦ୍ରକ ସହରାଞ୍ଚଳ ଥାନା ଅଞ୍ଚଳରେ ଗତକାଲି ରାତିରେ ଘଟିଥିବା ଏକ ହତ୍ୟାକାଣ୍ଡ ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି କରିଛି। ଘରେ ବିଶ୍ୱକପ୍ ଫାଇନାଲ କ୍ରିକେଟ ମ୍ୟାଚ୍ ଦେଖୁଥିବା ବେଳେ ଫୋନ୍ କରି ଡାକି ନେଇ ଯୁବକଙ୍କୁ ସଙ୍ଗବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଛି। ଏହି ଘଟଣା ଚରମ୍ପା ଗୁଣ୍ଠୁନିଆ ବଜାର ନିକଟରେ ଘଟିଛି।ମୃତକ ହେଲେ ଚରମ୍ପା ବରାଳ ପୋଖରୀ ଅଞ୍ଚଳର ଶ୍ରୀକୁମାର ସ୍ବାମୀ।
ସୂଚନା ଅନୁଯାୟୀ, ଶ୍ରୀକୁମାର ଗତକାଲି ରାତିରେ ଘରେ ବସି କ୍ରିକେଟ ମ୍ୟାଚ୍ ଦେଖୁଥିଲେ। ସେହି ସମୟରେ ତାଙ୍କ ପାଖକୁ ଏକ ଫୋନ୍ ଆସିଥିଲା। ଫୋନ୍ ଆସିବା ପରେ ସେ ଘରୁ ବାହାରି ଗୁଣ୍ଠୁନିଆ ବଜାରକୁ ଯାଇଥିଲେ।ସେଠାରେ ପୂର୍ବରୁ ଅପେକ୍ଷା କରୁଥିବା ପ୍ରାୟ ଚାରିଜଣ ଯୁବକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ କିଛି ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ ମଧ୍ୟ ଭୟରେ କେହି ବିରୋଧ କରିପାରିନଥିଲେ। ଗୁରୁତର ଅବସ୍ଥାରେ ଶ୍ରୀକୁମାରଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତଖାନାକୁ ନେଇଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ସୂଚନା ଅନୁଯାୟୀ, ଏହି ହତ୍ୟାକାଣ୍ଡରେ ସାମିଲ ଥିବା ଅଭିଯୁକ୍ତମାନେ ପୂର୍ବରୁ ବିଭିନ୍ନ ଅପରାଧରେ ଜଡିତ ଥିବା କୁହାଯାଉଛି।
ଘଟଣା ପରେ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେଠାରୁ ସୁନା ଚେନ୍ ଓ ଜୋତା ଜବତ କରାଯାଇଥିବା ସହ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ମଧ୍ୟ ନିଆଯାଇଛି।ଘଟଣାସ୍ଥଳକୁ ଭଦ୍ରକ ଏସପି ମନୋଜ ରାଉତ ନିଜେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଥିଲେ। ସେ କହିଛନ୍ତି ଯେ ଅପରାଧୀମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ଧରିବା ପାଇଁ ଦୁଇଟି ସ୍ୱତନ୍ତ୍ର ପୋଲିସ ଟିମ ଗଠନ କରାଯାଇଛି। ଖୁବ୍ ଶୀଘ୍ର ଅଭିଯୁକ୍ତମାନେ ଗିରଫ ହେବେ ବୋଲି ଏସପି କହିଛନ୍ତି।

