Thu. Apr 16th, 2026

ନ୍ୟୁଜ ଡେକ୍ସ : ମାଲକାନଗିରି ବନ ବିଭାଗ ଅନ୍ତର୍ଗତ ମୋଟୁ ରେଞ୍ଜରେ ବନ କର୍ମଚାରୀମାନେ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମା ନିକଟରୁ ବିପୁଳ ପରିମାଣର କଇଁଛ ଜବତ କରିଛନ୍ତି। ବୁଧବାର ଦିନ ଏହି କାର୍ଯ୍ୟାନୁଷ୍ଠାନ ସମୟରେ ଏକ ବୋଲେରୋ ପିକ୍‌ଅପ୍‌ ଗାଡ଼ିରୁ ମୋଟ ୬୩୧ଟି କଇଁଛ ଜବତ କରାଯାଇଛି, ଯାହାର ମୋଟ ଓଜନ ପ୍ରାୟ ୨.୨ ଟନ୍ ଥିବା ସୂଚନା ମିଳିଛି।

ଏହି କଇଁଛଗୁଡ଼ିକ ଆନ୍ଧ୍ର ପ୍ରଦେଶରୁ ଚୋରା ଚାଲାଣ ହୋଇ ମାଲକାନଗିରିକୁ ଆଣାଯାଉଥିବା ବେଳେ ବନ ବିଭାଗ ସେଗୁଡ଼ିକୁ ଜବତ କରିଥିଲା। ଜବତ ହୋଇଥିବା କଇଁଛମାନଙ୍କ ମଧ୍ୟରୁ ୭୦ଟି ମୃତ ଅବସ୍ଥାରେ ଥିବା ଜଣାପଡ଼ିଛି।ଏହି ଘଟଣାରେ ସମ୍ପୃକ୍ତ ଥିବା ୭ ଜଣଙ୍କୁ ବନ ବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାର ଅଶ୍ୱିନୀ କୁମାର, ଆଦିତ୍ୟ କୁମାର, ବୀରା କାବାସୀ, ସୁକୁମାର ତରଫଦାର ଓ ଲକ୍ଷ୍ମଣ ମାଡକାମୀ। ସେହିପରି ପଡିଆ ଅଞ୍ଚଳର ଯୁଗଳ ଚନ୍ଦ୍ର ଦେ ଓ ଏମ୍‌ଭି ୧୨୯ ଗାଁର ଗୋପାଲ ରାୟଙ୍କୁ ମଧ୍ୟ ଗିରଫ କରାଯାଇଛି। ସମସ୍ତଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ସୂତ୍ରରୁ ମିଳିଥିବା ଖବର ଅନୁସାରେ ଆନ୍ଧ୍ର ପ୍ରଦେଶରୁ ମାଲକାନଗିରିକୁ କଇଁଛ ଚୋରା ଚାଲାଣ ହେଉଥିବା ସୂଚନା ମୋଟୁ ବନ ବିଭାଗ ପାଇଥିଲା।

ଏହା ପରେ ରେଞ୍ଜର ତନୁଜା କାର୍ତ୍ତିକଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ରେ ଫରେଷ୍ଟର ମୁରଲିଧର ଅନୁଗୁଳିଆ ଓ ଫରେଷ୍ଟ ଗାର୍ଡ ବାପି ମାଝୀ, ବନିତା ଦଳେଇ, ବାସୁଦେବ ବାସ୍କର ଓ ଜଗା ମାଡି ସାମିଲ ଥିଲେ।ଟିମ୍‌ଟି ଜିଲ୍ଲା ସୀମାନ୍ତ ମୋଟୁସ୍ଥିତ କାଲେରୁ ବ୍ରିଜ୍‌ ନିକଟରେ ଜଗି ରହିଥିଲା। ଏହି ସମୟରେ ଆନ୍ଧ୍ର ପ୍ରଦେଶ ଦିଗରୁ ଏକ ବୋଲେରୋ ପିକ୍‌ଅପ୍‌ ଦ୍ରୁତ ଗତିରେ ଆସୁଥିବା ଦେଖି ବନ କର୍ମଚାରୀମାନେ ଗାଡ଼ିକୁ ଅଟକାଇଥିଲେ। ଯାଞ୍ଚ କରିବା ସମୟରେ ଗାଡ଼ିଭିତରେ ବହୁ ପରିମାଣର କଇଁଛ ଥିବା ଧରାପଡ଼ିଥିଲା।ବନ ବିଭାଗ ବୋଲେରୋ ପିକ୍‌ଅପ୍‌ ସହ ୨ଟି ମୋଟରସାଇକେଲ, ୩୮ଟି ପ୍ଲାଷ୍ଟିକ ଟ୍ରେ, ୪୦ଟି ବ୍ୟାଗ୍‌ ଓ ୬ଟି ମୋବାଇଲ ଫୋନ୍‌ ମଧ୍ୟ ଜବତ କରିଛି। ପରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଏମ୍‌ଭି ୭୯ ବନ ବିଭାଗ କାର୍ଯ୍ୟାଳୟକୁ ଆଣାଯାଇଥିଲା।

ଜବତ ହୋଇଥିବା କଇଁଛଗୁଡ଼ିକୁ ଏମ୍‌ଭି ୭୯ ପ୍ରାଣୀ ଚିକିତ୍ସାଳୟରେ ଡାକ୍ତର ବନାନୀ ହାଲ୍‌ଦାର ଓ ଏଲ୍‌. ଆଇ. ସୁଖରଞ୍ଜନ ବୈଦ୍ୟଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ପରୀକ୍ଷା ପରେ ସଜୀବ ଥିବା କଇଁଛମାନଙ୍କୁ ମାଲକାନଗିରିର ସତିଗୁଡା ଡ୍ୟାମ୍‌ରେ ଛାଡ଼ାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣା ପରେ ସୀମାନ୍ତ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ଚୋରାଚାଲାଣ ବିରୋଧରେ ତଦନ୍ତକୁ ଆହୁରି କଡ଼ା କରାଯାଇଛି।

Leave a Reply

Your email address will not be published. Required fields are marked *